ପଦାରେ ପଡିଲା ଇଣ୍ଡିଆ ମେଂଟଫାଟ । ଆସନ ଭାଗବଂଟା ପ୍ରସଙ୍ଗରେ ମୁହଁ ମୋଡ଼ି ଦେଲା ଜେଡିୟୁ

398

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ପାଖେଇ ଆସୁଛି । ଏହାସହ ରାଜନୈତିକ ଉଷ୍ମତା ବଢ଼ୁଛି । ବିଜେପି ଓ ମୋଦୀଙ୍କୁ ପୁଣି ଥରେ ଗାଦି ଦଖଲରୁ ଅଟକାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଇଣ୍ଡିଆ ମେଂଟ । ହେଲେ ଏହି ମେଂଟରେ ଏବେ ଭିତିରି କନ୍ଦଳ ପଦାରେ ପଡ଼ିଲାଣି । କାରଣ ଦଳର ନେତାମାନେ ତ କହୁଛନ୍ତି ଆମେ ସାଙ୍ଗରେ ଅଛୁ ବୋଲି, ହେଲେ ଏକାକି ଲଢ଼ିବାକୁ ସଜବାଜ ହେବାର ସଙ୍କେତ ବି ଦେଉଛନ୍ତି । ଫଳରେ ମେଂଟ କେଉଁଆଡ଼କୁ ଯାଉଛି, କେମିତି ଇଣ୍ଡିଆ ମେଂଟ ବିଜେପି ଓ ମୋଦୀଙ୍କ ମୁକାବିଲା କରିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି । ଏସବୁ ଭିତରେ ଜେଡିୟୁର ଆଭିମୁଖ୍ୟ ଏକ ବଡ଼ ସଙ୍କେତ ଦେଇଛି । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି ନିଷ୍ପତି ନେଇଛି । ତେଣୁ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହେବାର ନାହିଁ ବୋଲି ଦଳର ନେତା ତଥା ମନ୍ତ୍ରୀ ସଂଜୟ କୁମାର ଝା ରୋକଠୋକ୍ କହିଛନ୍ତି । ଆରଜେଡି ଯଦି ଚାହିଁବ, ତାହେଲେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହୋଇପାରିବ ବୋଲି ଜେଡିୟୁ ନେତା କହିଛନ୍ତି । ଏହାସହ ଜେଡିୟୁ କହିଛି ଯେ, ଇଣ୍ଡିଆ ମେଂଟରେ ଆସନ ବୁଝାମଣା କଥା ବିଳମ୍ବ ହୋଇଗଲାଣି । ଆଉ ଏଥିପାଇଁ କଂଗ୍ରେସ ଉପରେ ଦୋଷ ଲଦିଛନ୍ତି କଂଗ୍ରେସ ନେତା । ୨୦୧୯େରେ ବିଜେପି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢିଥିଲେ । ବିଜେପି ୧୭ଟି, ଜେଡିୟୁ ୧୬ଟି ଆସନରେ ନିର୍ବାଚନ ଜିତିଥିଲା । କଂଗ୍ରେସ ଗୋଟିଏ ଏବଂ ଲୋକ ଜନଶକ୍ତି ପାର୍ଟି ୬ଟି ସାଂସଦ ଜିତିଥିଲେ ।

ଇଣ୍ଡିଆ ମେଂଟରେ ସବୁଠୁ ବଡ଼ ଦଳ ହେଉଛି କଂଗ୍ରେସ । ଏହାସହ ଇଣ୍ଡିଆ ମେଂଟରେ ଥିବା ସବୁ ଦଳଙ୍କ ମଧ୍ୟ କେଂଗ୍ରେସ ହିଁ ସର୍ବଭାରତୀୟ ଦଳ । ତେଣୁ ଏହାର ଗୁରୁତ୍ୱ ସବୁଠୁ ଅଧିକ ରହିବା କଥା   । ହେଲେ ଲଗାତର ଭାବେ ଦୁଇଟି ଲୋକସଭା ନିର୍ବାଚନରେ ଏହାର ପ୍ରଦର୍ଶନ ନୌରାଶ୍ୟଜନ ରହିଥିଲା । ୨୦୧୪ ଓ ୨୦୧୯ରେ କଂଗ୍ରେସର ପ୍ରଦର୍ଶନ ଖରାପ ରହିଥିଲା । ଏକଥାକୁ ମେଂଟରେ ଥିବା ଦଳମାନେ ହୃଦୟଙ୍ଗମ କରିଛନ୍ତି । ଏହାସହ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ସେତେଟା ଖାସ୍ ପ୍ରଦର୍ଶନ କରିପାରି ନାହିଁ । ରାଜସ୍ଥାନ ଓ ଛତିଶଗଡ଼ କଂଗ୍ରେସ ହାତରୁ ଚାଲିଯାଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିକୁ ହଟାଇବାରେ ବିଫଳ ହୋଇଛି କଂଗ୍ରେସ । କେବଳ ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ହାସଲ କରିଛି । ଏସବୁକୁ ଦୃଷ୍ଟିରେ ରଖି ଇଣ୍ଡିଆମେଂଟରେ ଥିବା ଦଳମାନେ କଂଗ୍ରେସ ଉପରେ ଏତେଟା ଭରସା କରିପାରୁ ନାହାନ୍ତି, ଆଉ ଆସନ ବୁଝାମଣା କରିବାକୁ ଅମଙ୍ଗ ଅଛନ୍ତି । ଏହାକୁ ନେଇ ଅଙ୍କ ଛିଣ୍ଡିପାରୁ ନାହିଁ । କେବଳ ନୀତୀଶ କୁମାର ନୁହଁନ୍ତି. ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଟିଏମସି ଆସନ ବୁଝାମଣା କରିବ ନାହିଁ ବୋଲି କହି ସାରିଛି । ସେହିପରି ପଂଜାବରେ ଆପ୍ ଓ ମହାରାଷ୍ଟ୍ରରେ ଉଦ୍ଧବ ସେନା ଗୋଷ୍ଠୀ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ରାଜିନଥିବା ଜଣାପଡିଛିି ।

ସେପଟେ ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ । ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ମହାସଚିବ ୫ଜଣ ସଦସ୍ୟ ବିଶିଷ୍ଠ ମେଂଟ ସମିତି ସହ ବୈଠକ କରିଥିଲେ । କେଉଁ ଦଳ କେତେ ଆସନରେ ଲଢ଼ିବା ଉଚିତ ହେବ ଏନେଇ ସମିତି ସହ ବିଚାର ବିମର୍ଶ କରିଥିଲେ । ଏଥରକ ୨୫୫ ଆସନରେ ଲଢ଼ିବା ପାଇଁ କଂଗ୍ରେସ ବିଚାର କରୁଥିବା ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ କେବଳ ୫୨ ଆସନରେ ଦଳ ଜିତିଥିଲା । ୨୦୧୯ରେ କଂଗ୍ରେସ ବିହାରରେ ଆରଜେଡି ସହ, ମହାରାଷ୍ଟ୍ରରେ ଏନସିପି, କର୍ଣ୍ଣାଟକରେ ଜେଡିଏସ, ତାମିଲନାଡୁରେ ଡିଏମକେ ଓ ଝାଡ଼ଖଣ୍ଡରେ ଜେଏମଏମ ସହ ମେଂଟ କରି ନିର୍ବାଚନ ଲଢ଼ିଥିଲା ।