ଚୀନରୁ ଆମଦାନୀ କମାଇବା ଲକ୍ଷ୍ୟରେ ଭାରତ : ୨୦ ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବଢ଼ାଇବାକୁ ସରକାରଙ୍କ ଯୋଜନା । କ୍ୟାମେରା, ଲାପଟପ୍ , ଟେକ୍ସଟାଇଲ ଭଳି ଉତ୍ପାଦ ଉପରେ ନଜର

ଭାରତରୁ ଅଧିକ ଆମଦାନୀ କରିବା ଅନୁରୋଧକୁ ଚୀନ ରଖୁନଥିବା ଅଭିଯୋଗ 

305

କନକ ବ୍ୟୁରୋ : ଚୀନ୍ ଉପରେ କେମିତି ପଡିବ ଅଧିକରୁ ଅଧିକ ଅର୍ଥନୈତିକ ଚାପ  । ଏଥିପାଇଁ ସୁଚିନ୍ତିତ ରଣନୀତି ପ୍ରସ୍ତୁତି କରୁଛନ୍ତି ଭାରତ ସରକାର । ଚୀନରୁ ଆମଦାନୀ କରାଯାଉଥିବା ୨୦ ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବଢ଼ାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର । ବିଶେଷକରି କ୍ୟାମେରା, ଲାପଟପ୍ , ଟେକ୍ସଟାଇଲ ଓ ଆଲୁମିନିୟମ ସାମଗ୍ରୀ ଉପରେ ଅଧିକ କଷ୍ଟମ ଡ୍ୟୁଟି ବସାଇବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି । ଏଥିପାଇଁ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଅର୍ଥବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଏବଂ ଏହି ପ୍ରସ୍ତାବ ଏବେ ଅର୍ଥବିଭାଗ ନିକଟରେ ରହିଛି । ଅର୍ଥବିଭାଗ ମଞ୍ଜୁରି ଦେବା ପରେ ଏହାକୁ ଲାଗୁ କରିବ ବାଣିଜ୍ୟ ମନ୍ତ୍ରାଳୟ । ଭାରତ ଚୀନ ମଧ୍ୟରେ ଅଧିକ ପରିମାଣର ବାଣିଜିକ ନିଅଂଟ ରହିଛି । ତେଣୁ ଏହାକୁ କମାଇବା ପାଇଁ ଭାରତ ସରକାର ଆମଦାନୀ କମ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୯-୨୦ରେ ଏହା ପ୍ରାୟ ୪୮ ଦଶମିକ ୭ ବିଲିୟନ ଆମେରିକାନ ଡଲାର ଥିଲା  ।

ଏଥିସହ ଚୀନ୍ ଭାରତରୁ ଅଧିକ ଆମଦାନୀ କରୁନଥିବା ଅଭିଯୋଗ କରିଛି ଭାରତ । ଯେଉଁଥିପାଇଁ ବାଣିଜିକ ନିଅଂଟ ବଢ଼ିବାରେ ଲାଗିଛି ବୋଲି ଭାରତ ପକ୍ଷରୁ କୁହାଯାଉଛି । ଏହା ପୂର୍ବରୁ ଚୀନର ଶତାଧିକ ଆପ୍କୁ ବ୍ୟାନ କରି ବଡ ଝଟକା ଦେଇଥିଲା ଭାରତ । ଅନ୍ୟପଟେ ଭାରତ ସରକାର ସ୍ୱେଦେଶୀ ମୋବାଇଲ ଓ ଅନ୍ୟାନ୍ୟା କମ୍ପାନୀକୁ ଅଧିକ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ଭାରତରେ ଉତ୍ପାଦନ ବଢ଼ିବା ସହ ଆବଶ୍ୟକତା ପୂରଣ ହୋଇପାରିବ  ।