ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା

208

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଫଳରେ ତଳମୁଣ୍ଡରେ ବନ୍ୟା । ନେପାଳରେ ଗତ କିଛିଦିନ ଧରି ଲାଗି ରହିଥିବା ମୁଶଳଧାରାର ବର୍ଷା ଫଳରେ ଭାରତର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳର ବନ୍ୟା ଜଳରେ ବିହାର, ଉତରପ୍ରଦେଶର ଅନେକ ସ୍ଥାନ ଏବେ ଜଳବନ୍ଦୀ ।

ନେପାଳରେ ଲାଗି ରହିଥିବା ମୁଶଳଧାରାର ବର୍ଷା ପାଇଁ ଭାରତରେ ବନ୍ୟା । ଲଗାଣ ବର୍ଷା ପାଇଁ ନେପାଳର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ରାସ୍ତା ଘାଟ ପାଣିରେ ବୁଡି ରହିଥିବାବେଳେ, ଅନେକ ସ୍ଥାନରେ ଘର ଭିତରେ ବନ୍ୟାପାଣି ପସି ଯାଇଥିବା ଦେଖିବାକୁ ମିଳିଛି । ସେଠାରେ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ବର୍ଷା ଓ ବନ୍ୟା କାରଣରୁ ନେପାଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେପଟେ ନେପାଳ ନଦୀ ଗୁଡିକରେ ବନ୍ୟା ଆସିବା ଫଳରେ ବିହାରରେ ବନ୍ୟା । ବିହାରର ପଶ୍ଚିମ ଚମ୍ପାରଣ ଅଂଚଳ ଏବେ ବନ୍ୟା ଜଳରେ ବୁଡି ରହିଛି ।

ସେପଟେ ନେପାଳରୁ ବନ୍ୟା ଜଳ ଛଡାଯିବା ପରେ ଉତରପ୍ରଦେଶରେ ବନ୍ୟା ଦେଖିବାକୁ ମିଳିଛି । ରୋହିଣୀ ନଦୀ ବିପଦ ସଂକେତ ଉପରେ ବହୁଛି । ସେହିପରି ସରଦା, ଘାଗରା ଏବଂ ରାପ୍ତି ନଦୀରେ ବନ୍ୟା ଆସିବା ନେଇ ସତର୍କ କରାଇଛନ୍ତି ସରକାର । ସେପଟେ ଲଗାଣ ବର୍ଷା ପାଇଁ ଉତରାଖଣ୍ଡର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି । ହୃଷିକେଶରେ ଗଙ୍ଗା ଘାଟ ବନ୍ୟା ଜଳରେ ବୁଡି ଯାଇଛି ।