ଟିକାକରଣ ଅଭିଯାନରେ ଭାରତର ଆଉ ଏକ ରେକର୍ଡ, ଗୋଟିଏ ଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା

119

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନରେ ଭାରତ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ସୋମବାର ଦିନ ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇଛି  । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, “ଭାରତରେ ଗୋଟିଏ ଦିନରେ ୮୮ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏହା ଚାଲିଥିବା ଟିକାକରଣ ଅଭିଯାନରେ ସର୍ବାଧିକ ରେକର୍ଡ, ଏପର୍ଯ୍ୟନ୍ତ ମୋଟ ୫୫ କୋଟି ୪୭ ଲକ୍ଷ ୩୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି ।”

ସ୍ୱାସ୍ଥ୍ର୍ୟମନ୍ତ୍ରଣାଳୟର ପରିସଂଖ୍ୟାନ ମୁତାବକ ଟିକାକରଣ ସଂଖ୍ୟା ମାମଲାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି । ୟୁପିରେ ବର୍ତମାନ ଯାଏ ୫.୯୮ କୋଟି ଲୋକଙ୍କୁ ଟିକାର ଖୋରାକ ଦିଆଯାଇଛି । ଏହାପରେ ଦ୍ୱିତୀୟରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ମୋଟ ୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

 

ଗୋଟିଏ ପଟେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ୟୁପିରେ ସର୍ବାଧିକ ଡୋଜ ଟିକା ଦିଆଯାଇଥିବା ବେଳେ, ଲୋକସଂଖ୍ୟାକୁ ତୁଳନା କଲେ ୟୁପିରେ ସବୁଠାରୁ କମ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇଛି । ଏଠାରେ ମାତ୍ର ୩୧ ପ୍ରତିଶତ ଲୋକଙ୍କ ଟିକାର ଗୋଟିଏ ଡୋଜ ଦିଆଯାଇଛି । ଲୋକସଂଖ୍ୟା ତୁଳନାରେ ୟୁପି ଠାରୁ ଆଗରେ ରହିଛି ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡଖଣ୍ଡ, ତାମିଲନାଡୁ, ମହାରାଷ୍ଟ୍ର । ହିମାଚଳ ପ୍ରଦେଶରେ ସବୁଠାରୁ ଅଧିକ ୭୭ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି । ଏହାପରେ ଜମ୍ମୁ-କାଶ୍ମୀରରେ ୬୬ ପ୍ରତିଶତ, ଉତ୍ତରାଖଣ୍ଡରେ ୬୪ ପ୍ରତିଶତ, ଗୁଜୁରାଟ ୬୦ ପ୍ରତିଶତ, ମଧ୍ୟପ୍ରଦେଶ ୫୫ ପ୍ରତିଶତ, କର୍ଣ୍ଣାଟକ ୫୪ ପ୍ରତିଶତ, କେରଳ ୫୪ ପ୍ରତିଶତ, ରାଜସ୍ତାନ ୫୨ ପ୍ରତିଶତ ଓ ଛତିଶଗଡରେ ୫୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ।