ମୋହାଲି ଦିନିକିଆ ବିଜୟ ସହ କ୍ରିକେଟରେ ଟିମ୍ ଇଣ୍ଡିଆର ରେକର୍ଡ : ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନ କବଜା କଲା ଭାରତ

754

କନକ ବ୍ୟୁରୋ : କ୍ରିକେଟରେ ଟିମ୍ ଇଣ୍ଡିଆର ବିରଳ ରେକର୍ଡ । ତିନିଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍ ପାଲଟିଛି ଭାରତୀୟ ଦଳ । ଟେଷ୍ଟ ଓ ଟି-୨୦ରେ ଭାରତ ଏକ ନମ୍ବର ଥିବା ବେଳେ ମୋହାଲି ଦିନିକିଆ ଜିତି ଦିନିକିଆ ରାଙ୍କିଂରେ ବି ଏକ ନମ୍ବର ସ୍ଥାନା ହାତେଇ ନେଇଛି । ଏହାସହ ଏକ ଟିମ୍ ଇଣ୍ଡିଆକୁ ଏକ ବିରଳ ସଫଳତା ମିଳିଛି । କୌଣସି ଟିମ୍ ତିନିଟି ଯାକ ର୍ଫମାଟରେ ଗୋଟିଏ ସମୟରେ ଏକ ନମ୍ବର ରହିବା ଖୁବ୍ କମ୍ ଦେଖାଯାଏ ।

ଏହି ସଫଳତା ପାଇବାରେ ଭାରତ ଦ୍ୱିତୀୟ ଟିମ୍ । ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକା ଦଳ ତିନିଟି ଯାକ ଫର୍ମାଟରେ ଗୋଟିଏ ସମୟରେ ଏକ ନମ୍ବର ସ୍ଥାନ ହାତେଇଥିଲା । ୨୦୧୨ରେ ଦକ୍ଷିଣ ଆଫ୍ରିକାକୁ ଏହି ସଫଳତା ମିଳିଥିଲା । ଦ୍ୱିତୀୟ ଦଳ ଭାବେ ଟିମ୍ ଇଣ୍ଡିଆ ଏହି କାରନାମା କରି ଦେଖାଇଛି । ଦିନିକିଆ ରାଙ୍କିଂରେ ଭାରତ ପାକିସ୍ତାନକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି । ଏବେ ଭାରତ ପାଖେରେ ୧୧୬ ପଏଂଟ ଥିବା ବେଳେ ପାକିସ୍ତାନ ପାଖରେ ୧୧୫ ପଏଂଟ ରହିଛି ।

ମୋହାଲିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ଭାରତ ବୋଲିଂ ନିଷ୍ପତି ନେଇଥିଲା । ମହମ୍ମଦ ସାମି କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୫ ୱିକେଟ୍ ନେଇଥିଲେ ଏବଂ ଅଷ୍ଟ୍ରେଲିଆକୁ ୨୭୬ ରନରେ ସୀମିତ ରଖିଥିଲେ । ଜବାବରେ ୪୮ ଦଶମିକ ୨ ଓଭରରେ ୫ ୱିକେଟ୍ ହରାଇ ୨୮୧ ରନ୍ ମୁକାବିଲାକୁ ଜିତି ନେଇଥିଲା ଟିମ୍ ଇଣ୍ଡିଆ ।

ଭାରତ ପକ୍ଷରୁ ଶୁଭମନ ବିଲ୍ ସର୍ବାଧିକ ୭୪ ରନ୍ କରିଥିଲେ । ରୁତୁରାଜ ଗାଏକ୍ୱାଡ ୭୧ ରନ, ସୂର୍ଯ୍ୟକୁମାର ଯାଦବ ୫୦ ରନ୍ ଏବଂ ଅଧିନାୟକ ଲୋକେଶ ରାହୁଲ ଅପରାଜିତ ୫୮ ରନ୍ କରିଥିଲେ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ୫୨ ରନ୍, ଜୋଶ୍ ଇଙ୍ଗଲିସ୍ ୪୫ ରନ୍, ଷ୍ଟିଭ୍ ସ୍ମିଥ୍ ୪୧ ରନ୍ ଏବଂ ମାର୍ନସ ଲାବୁସେନ୍ ୩୯ ରନ୍ କରିଥିଲେ । ଭାରତ ପକ୍ଷରୁ ଦମଦାର ବୋଲିଂ ଜରିଆରେ ସାମି ୫ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।