ଆଇକ୍ୟୁ ଏୟାର ଜାରି କଲା ରିପୋର୍ଟ । ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ

58

କନକ ବ୍ୟୁରୋ : ମାନବ ସମାଜର ଅବହେଳା ଓ ଦିନକୁ ଦିନ ବଢୁଥିବା ମନୁଷ୍ୟକୃତ ପ୍ରଦୂଷଣ ଯୋଗୁଁ ଆମ ଅଜାଣତରେ ଆମ ପରିବେଶ ଖୁବ ଶୀଘ୍ର କ୍ଷୟ ହେବାରେ ଲାଗିଛି । ଆମେ ଅଣଦେଖା କରି ଆଗତ ଭୟାବହତାକୁ ଏଡାଇ ଦେଇ ପାରୁ, ସେ ନେଇ କିନ୍ତୁ କିଛି ଅନୁଷ୍ଠାନ  ଆମକୁ ସର୍ବଦା ଚେତେଇ ଦେଉଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ସ୍ୱିଡେନର ଏୟାର କ୍ୱାଲିଟି ଇଣ୍ଡେକ୍ସ୍ ।

ଏହି ସଂସ୍ଥାର ବାର୍ଷିକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଭାରତର ବାୟୁର ଗୁଣାତ୍ମକ ମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗତ ବର୍ଷ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଭାରତ ଅଷ୍ଟମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏହା ଖସି ଆସି ତୃତୀୟରେ ପହଂଚିଛି । ଏହି ରିପୋର୍ଟ କେବଳ ପରିବେଶବିତ୍ ଓ ସରକାର ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ଚିନ୍ତାରେ ପକାଉଛି ।

ମୋଟ ୧୩୪ଟି ଦେଶ ମଧ୍ୟରେ ବାଂଲାଦେଶର ବାୟୁର ମାନ ସବୁଠାରୁ ଖରାପ ହୋଇଥିବାରୁ ସେ ଏକ ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ରହିଛି ପାକିସ୍ତାନ । ବାର୍ଷିକ ପି.ଏମ ୨.୫ର ହାରାହାରି ସାନ୍ଧ୍ରତା ବାଂଲାଦେଶରେ ୭୯.୯ କ୍ୟୁବିକ୍ ମିଟର, ପାକିସ୍ତାନରେ ୭୩.୭ କ୍ୟୁବିକ୍ ମିଟର ଥିବା ବେଳେ ଭାରତରେ ୫୪.୪ ରହିଛି । ୨୦୨୨ ବର୍ଷ ପି.ଏମ ୨.୫ର ସାନ୍ଧ୍ରତା ୫୩.୩ ସହ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା । ଏହା ପରେ କ୍ରମାନ୍ୱୟରେ ତାଜିକିସ୍ତାନ୍ ଓ ବୁରକିନା ଫାସୋ ରହିଛନ୍ତି ।

ଖାଲି ଏତିକି ନୁହେଁ ଏୟାର କ୍ୱାଲିଟି ଇଣ୍ଡେକ୍ସ୍ ରିପୋର୍ଟ ଅନୁଯାୟୀ ସର୍ବାଧିକ ପ୍ରଦୂଷିତ ୫୦ ସହର ମାନଙ୍କ ମଧ୍ୟରେ ସର୍ବାଧିକ ସହର ଭାରତର ବୋଲି ଜଣା ପଡିଛି । ପ୍ରାୟ ୪୨ଟି ଭାରତୀୟ ସହର ଏହି ଲିଷ୍ଟରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ମେଟ୍ରୋପଲିଟାନ୍ ସହର ଭାବେ ବିହାରର ବେଗୁସରାଇରେ ପି.ଏମ ୨ଏ.୫ର ସାନ୍ଧ୍ରତା ୧୧୮.୯ ମାଇକ୍ରୋଗ୍ରାମ୍ ପର୍ କ୍ୱୁବିକ୍ ମିଟର୍ ଥିବା ବେଳେ ଏହା ପଛକୁ ରହିଛନ୍ତି ଗୌହାଟୀ ଓ ଦିଲ୍ଲୀ ଭଳି ସହର । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ବର୍ଷ ଗଣନା ଘେରରେ ମଧ୍ୟ ଆସି ନଥିବା ସହର ବେଗୁସରାଇରେ ଏଥର ପ୍ରଦୂଷଣ ସବୁ ସୀମା ପାର କରିଛି, ଯାହାର ପି.ଏମ ୨.୫ର ସାନ୍ଧ୍ରତା ଗତ ବର୍ଷ କେବଳ ୧୯.୭ ରହିଥିଲା ।

ଅଷ୍ଟ୍ରେଲିଆ, ଇଷ୍ଟୋନିଆ, ଫିନଲ୍ୟାଣ୍ଡ, ଗ୍ରେନାଡା, ଆଇସଲ୍ୟାଣ୍ଡ, ମରିସସ୍ ଓ ନ୍ୟୁଜିଲ୍ୟାଣ୍ଡ ଭଳି କେବଳ ୭ଟି ଦେଶ ରହିଛନ୍ତି ଯେଉଁ ମାନେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁଯାୟୀ ପି.ଏମ ୨.୫ର ବାର୍ଷିକ ହାରାହାରି ସାନ୍ଧ୍ରତା ୫ କିମ୍ବା ତାଠାରୁ କମ୍ କ୍ୱୁବିକ୍ ପର ମିଟରର ମାନ ଦଣ୍ଡ ବଜାୟ ରଖି ପାରିଛନ୍ତି ।