ପାରାଦୀପ ରାଜନୀତିରେ ପାୱାର ସୋ । ବିଜେଡିର କ୍ରସ ଭୋଟିଂ, ସ୍ୱାଧୀନ ପ୍ରାର୍ଥୀ ହେଲେ ପୌର ଉପାଧ୍ୟକ୍ଷ ।

295

କନକ ବ୍ୟୁରୋ : ପାରାଦୀପ ରାଜନୀତିରେ ପାୱାର ସୋ । ବିଜେଡି ବିଧାୟକ ବନାମ ବାପି ସର୍ଖେଲ । ସାରା ରାଜ୍ୟରେ ଯେଉଁ ରାଜନୈତିକ ଦଳ ବିଜୟର ଧ୍ୱଜା ଉଡ଼ାଇ ଚାଲିଛି, ସେହି ଦଳକୁ ଅଡ଼ୁଆ ହୋଇଗଲା କ୍ରସ ଭୋଟିଂ । ବିଧାୟକଙ୍କୁୁ ଚକମା ଦେଇଦେଲେ ବିଦ୍ରୋହୀ । ପୌର ଉପାଧ୍ୟକ୍ଷ ପାଇଁ ହୋଇଥିବା ଭୋଟରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିନେଲେ । ଦିନେ ଯେଉଁ ପାରାଦୀପରେ ଦାମ ରାଉତଙ୍କ ଦବଦବା ଚାଲିଥିଲା, ଆଜି ସେଠି ତାଙ୍କ ପୁଅଙ୍କ ପ୍ରତିପତି ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।

ପାରାଦୀପରେ ବିଜେଡିର କ୍ରସ ଭୋଟିଂ । ସ୍ୱାଧୀନ ପ୍ରାର୍ଥୀ ହେଲେ ପୌର ଉପାଧ୍ୟକ୍ଷ । ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାପି ସର୍ଖେଲଙ୍କ ପ୍ରଭାବ । କ୍ରସ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ଦେଇଛନ୍ତି ବିଜେଡି କାଉନସିଲର । ବାପିଙ୍କ ସଂଗଠନ ଆମ ପାରାଦୀପ ଆମ ପ୍ରଗତି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଛବିଲତା ରାଉତ ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ପାରାଦୀପ ପୌର ପରିଷଦରେ ୮ ଜଣ ସ୍ୱାଧୀନ କାଉନସିଲର ଥିବା ବେଳେ, ବିଜେଡିର ୭ ଜଣ କାଉନସିଲର ଜିତିଛନ୍ତି । ସେହିପରି ବିଜେପି ପାଖରେ ୩ ଓ କଂଗ୍ରେସର ଜଣେ କାଉନସିଲର ରହିଛନ୍ତି ।

ପାରାଦୀପ ପୌର ପରିଷଦ
ସ୍ୱାଧୀନ – ୮
ବିଜେଡି – ୭
ବିଜେପି – ୩
କଂଗ୍ରେସ – ୧

ପୌର ଉପାଧ୍ୟକ୍ଷ ପାଇଁ ବିଜେଡିରୁ ପ୍ରଭାତୀ ନାୟକ, ବିଜେପିରୁ ରୁନୁ ପରିଡ଼ା ଓ ସ୍ୱାଧୀନ ଭାବେ ଲଢ଼ୁଥିଲେ ଛବିଲତା ରାଉତ । ଶେଷ ମୁହୂର୍ତରେ ବିଜେପି ନିର୍ବାଚନରୁ ଓହରି ଯିବା ପରେ ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା ଟକ୍କର । ତେବେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଛବିଲତା ରାଉତଙ୍କୁ ମିଳିଛି ୧୦ଟି ଭୋଟ । ୭ କାଉନସିଲର ଥିବା ସତ୍ୱେ ବିଜେଡି ପ୍ରାର୍ଥୀ ପ୍ରଭାତୀ ନାୟକଙ୍କୁ ମିଳିଛି ୬ଟି ଭୋଟ । ଜଣେ ବିଜେଡି କାଉନସିଲର କ୍ରସ ଭୋଟିଂ କରିବାରୁ ସହଜ ହୋଇଛି ସ୍ୱାଧୀନ ପ୍ରାର୍ଥୀ ଛବିଲତା ରାଉତଙ୍କ ବିଜୟ ।

ପାରାଦୀପରେ ବାପି ସର୍ଖେଲଙ୍କ ଦବଦବା । ବିଧାୟକ ସମ୍ବିତ ରାଉତରାୟଙ୍କୁ ଝଟକା । ରାଜ୍ୟର ରାଜନୀତିରେ ପାରାଦୀପର ବିଶେଷ ଗୁରୁତ୍ୱ ରହିଛି । ପୌର ନିର୍ବାଚନରେ ବିଜେଡିକୁ ଟକ୍କର ଦେଇଥିଲେ ବାପି ସର୍ଖେଲ । ଉଭୟ ଗାଁ ଓ ସହର ନିର୍ବାଚନରେ ବିଜେଡି ସାରା ରାଜ୍ୟରେ ବିପୁଳ ସଫଳତା ପାଇଥିବା ବେଳେ ପାରାଦୀପରେ କ୍ରସ ଭୋଟିଂ କରିଛନ୍ତି ବିଜେଡି କାଉନସିଲର । ଯାହା ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ କ୍ୟାରିୟରକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ପୌର ନିର୍ବାଚନର ଫଳାଫଳ ପାରାଦୀପରେ ଏକ ନୂଆ ସମୀକରଣର ଇସାରା ଦେଉଛି ।