କରୋନା ସଂକଟ ଭିତରେ ଦେଶ ପାଳୁଛି ୭୪ ତମ ସ୍ୱାଧୀନତା ଦିବସ: ସଂକ୍ରମଣ ଏଡାଇବାକୁ କଟକଣା ଭିତରେ ଉଡିବ ତ୍ରିରଙ୍ଗା; ଲାଲକିଲ୍ଲାରୁ ସକାଳ ସାଢେ ୭ଟାରେ ପତାକା ଉତୋଳନ କରିବେ ମୋଦି

227

କନକ ବ୍ୟୁରୋ: ଆଜି ପାଳନ ହେଉଛି ୭୪ ତମ ସ୍ୱାଧାନତା ଦିବସ । ଆଜି ଲାଲକିଲ୍ଲାରେ ଆୟୋଜନ ହେଉଥିବା ଜାତୀୟ ସ୍ତରର ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମିଳିଥିବା ସୂଚନା ଅନୁସାରେ ସକାଳ ୭ଟା ମୋଦି ରାଜଘାଟରେ ପହଂଚିବେ । ୭ଟା ୧୮ରେ ଦିଲ୍ଲୀ ଲାହୋର ଗେଟରେ ପହଂଚିବେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ସକାଳ ପ୍ରାୟ ୭ଟା ୩୦ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବେ ।

କରୋନା କଟକଣା ଭିତରେ ଆଜି ଆୟୋଜିତ ହେବାକୁ ଯାଉଛି ୭୪ ତମ ସ୍ୱାଧାନତା ଦିବସ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । ଦିଲ୍ଲୀର ଲାଲକିଲ୍ଲା ଏବଂ ଆଖପାଖ ଅଂଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ ବହୁ ସ୍ତରୀୟ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସକୁ ସହାୟତା କରିବେ ଏନଏସଜି, ଏସିପିଜି, ଆଇଟିବିପି,‘ସ୍ୱାଟ୍’ ଟି, ପରାକ୍ରମ ଭ୍ୟାନ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୁତୟନ ହେବେ । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରିକଗ୍ନିସନ ସିଷ୍ଟମ ମଧ୍ୟ ରଖାଯାଇଛି ।

କରୋନା ସଂକଟ ଭିତରେ ସ୍ୱାଧୀନତା ଦିବସ ପାଳନ ହେଉଥିବାରୁ ସଂକ୍ରମଣ ଏଡାଇବାକୁ ସମସ୍ତ ମାର୍ଗଦର୍ଶିକା ମଧ୍ୟ ପାଳନ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି । କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନ ବ୍ୟତିତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି । ସକାଳ ୪ଟାରୁ ଦିନ ୧୦ଟା ଯାଏଁ ଅନେକ ରାସ୍ତାକୁ ବନ୍ଦ ରଖିବା ନେଇ ଘୋଷଣା ହୋଇଛି । ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟକ ଘଟଣା ଉପରେ ଜିଲ୍ଲା ଡିସିପି ମାନେ ଦୃଷ୍ଟି ରଖିଛନ୍ତି । ସମସ୍ତ ଅତିଥୀ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି ।