ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ । ରାତି ୧୨ଟାରୁ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ

234

କନକ ବ୍ୟୁରୋ : ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ଆଖିରେ ରଖି କଡା ପଦକ୍ଷେପ ନେଇଛି ପ୍ରଶାସନ । ଗତକାଲି ରାତି ୧୨ଟାରୁ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି କରାଯାଇଛି । ପରବର୍ତି ଆଦେଶ ନ ଆସିବା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ । ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତିତ ସବୁ କିଛି ବନ୍ଦ ରହିବ । ଏପରି କି ବସ ଚଳାଚଳ ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ ।

ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୬୫୫୮୦୦୭୬୦ । ଅନ୍ୟପଟେ ସମ୍ବଲପୁର ସହରର ୬ଟ ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି । ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଂଚଳରେ କର୍ଫ୍ୟୁ କଟକଣା ଜାରି ରହିବ । ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ । ସାଧାରଣ ଜନତା, କୌଣସି ବ୍ୟକ୍ତି ବିଶେଷ ଘରୁ ନବାହାରିବା ପାଇଁ ପ୍ରଶାସନ ତାଗିଦ କରିଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାମ ପାଇଁ ଦିନକୁ ଦୁଇଥର କଟକଣା କୋହଳ ହେବ । ଗତ ୧୨ ତାରିଖରେ ସମ୍ବଲପୁରରେ ହିଂସାକାଣ୍ଡ ପରେ ସତର୍କତା ପଦକ୍ଷେପ ଭାବେ ୧୪୪ ଧାରା ଜାରି କରାଯାଇଥିଲା । ୧୩ ତାରିଖ ସକାଳ ୧୦ଟାରୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଇଂଟରନେଟ ସେବା ୪୮ ଘଂଟା ପାଇଁ ବନ୍ଦ କରାଯାଇଥିଲା । ଏସବୁ ସତ୍ୱେ ସମ୍ବଲପୁରରେ ହିଂସା ଥମିନାହିଁ, ଅରାଜକତା ସୃଷ୍ଟି ହୋଇଛି । ବ୍ୟାପକ ପୋଡାଜଳା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍୍ୟୁ ଜାରି କରାଯାଇଛି । ସେପଟେ ଆହୁରି ୪୮ ଘଂଟା ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।