ପିସିଆର ଭ୍ୟାନ ଭିତରେ ନାବାଳିକାକୁ ଦେଢ଼ ଘଂଟା ଧରି ଅଶାଳୀନ ବ୍ୟବହାର । ବରଗଡ଼ରେ ପୋଲିସ ବାବୁଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ , ଘରେ ଛାଡିଦେବେ କହି ଛାତ୍ରୀଙ୍କୁ ଭ୍ୟାନ ଭିତରକୁ ନେଇଥିଲେ ପୋଲିସ କର୍ମୀ

2,795

କନକ ବ୍ୟୁରୋ : ବରଗଡ ସହରରେ ଗତ ୬ ତାରିଖ ସଂଧ୍ୟାରେ ଏଭଳି ଏକ ପିସିଆର ସହର ଭିତରେ ବୁଲୁଥିଲା । ହୁଏତ ଲୋକ ଭାବୁଥିଲେ, ପୁଲିସବାଲା ପାଟ୍ରୋଲିଂ କରୁଛନ୍ତି, ସହରର ଆଇନଶୃଙ୍ଖଳା ଉପରେ ପୁରା ନଜର ରଖିଛନ୍ତି । କିନ୍ତୁ ପିସିଆର ଭିତରେ ଯାହା ଚାଲିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅନଲାଇନ୍ କ୍ଲାସ ସଂପର୍କରେ ବୁଝିବା ପାଇଁ ସାଙ୍ଗମାନଙ୍କ ପାଖକୁ ଯାଉଥିଲେ ଛାତ୍ରୀ ଜଣକ । ସେହି ସମୟରେ ବରଗଡ ଟାଉନ୍ ଥାନାର ପିସିଆର ଭ୍ୟାନ ପହଂଚି ତାଙ୍କୁ ଘରରେ ଛାଡିଦେବା କହି ବସିବାକୁ ବାଧ୍ୟ କରିଥିଲେ । ପୋଲିସ ଭୟରେ ଛାତ୍ରୀ ଜଣକ ବସିବା ପରେ ଦୀର୍ଘ ଦୁଇ ଘଂଟା ଧରି ବିଭିନ୍ନ ସ୍ଥାନରେ ବୁଲାଇବା ପରେ ଘର ଆଗରେ ଛାଡିଥିଲେ । ଅନ୍ୟପଟେ ଏହି ସମୟରେ ଛାତ୍ରୀ ନିକଟରେ ବସିଥିବା ପୋଲିସ କର୍ମଚାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ ।

ପୋଲିସ ନିକଟରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବରଗଡ ଏସପି ଛୁଟିରେ ଥିବା ବେଳେ ଏନେଇ ବଲାଙ୍ଗିର ଏସପିଙ୍କୁ ସୂଚନା ଦିଆଯାଇଛି ବୋଲି ଜଣାପଡିଛି । ଅନ୍ୟପଟେ ଦୋଷୀ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।