ଟେଷ୍ଟ କ୍ରିକେଟରେ ଭାରତୀୟ ମହିଳା ଟିମ୍ କଲା ସବୁଠାରୁ ଅଧିକ ସ୍କୋର । ପଛରେ ପଡିଲା ଅଷ୍ଟ୍ରେଲିଆ

481

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପର ଫାଇନାଲ ଖେଳାଯିବ । ହେଲେ ତା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟେଷ୍ଟ କ୍ରିକେଟରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳୁଥିବା ଭାରତୀୟ ମହିଳା ଟିମ୍ ସବୁଠାରୁ ବଡ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଚେନ୍ନାଇ ଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ମହିଳା ଟିମ୍ ୬୦୩ ରନ କରି ପାଳି ଘୋଷଣା କରିଛି । ଏହି ସ୍କୋର ପୂର୍ବରୁ ସର୍ବାଧିକ ସ୍କୋର ତାଲିକାରେ ଅଷ୍ଟ୍ରେଲିଆ ମହିଳା ଟିମର ନାମ ଥିଲା । ଏବେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏହି ରେକର୍ଡକୁ ଭାଙ୍ଗିଦେଇଛି ।

ମହିଳା ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର ଅଷ୍ଟ୍ରେଲିଆ ଟିମ୍ ନାମରେ ରହିଥିଲା । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୫୭୫ ରନ କରିଥିଲା । ଭାରତୀୟ ମହିଳା ଟିମ୍ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୫୨୫ ରନ ସ୍କୋର କରିଥିଲା । ହେଲେ ଆଜି ଦଳୀୟ ସ୍କୋର ୬୦୩ ରେ ପହଂଚିବା ପରେ ଭାରତୀୟ ଟିମ୍ ପାଳି ଘୋଷଣା କରିଛି ।

ଏହି ଟେଷ୍ଟ ମ୍ୟାଚରେ ଶେଫାଳୀ ବର୍ମା ୨୦୫, ସ୍ମୃତି ମନ୍ଧନା ୧୪୯ ରନ୍ କରି ଭାରତୀୟ ଟିମକୁ ଏକ ମଜବୁତ ସ୍କୋରରେ ପହଂଚାଇଛନ୍ତି । ଉଭୟ ୨୯୨ ରନର ପାଳି ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ମହିଳା କ୍ରିକେଟରେ ଏହା ମଧ୍ୟ ସବୁଠାରୁ ବଡ ଭାଗିଦାରୀ ବୋଲି କୁହାଯାଉଛି ।