କନକ ବ୍ୟୁରୋ : କର ବା ମର ସ୍ଥିତିରେ ଭାରତ । ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି । ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍‌ରେ ୨୦୧୦ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳାଯାଇଥିଲା ।

Advertisment

ବର୍ତ୍ତମାନ ସୁଦ୍ଧା ପୁରୁଷ ଓ ମହିଳା ବର୍ଗରେ ମୋଟ ୧୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଏଠାରେ ଆୟୋଜିତ ହୋଇଛି । ସେଥିମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏହି ଷ୍ଟାଡିୟମ୍‌ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବି‌ଜୟୀ ହୋଇଛି । ଏହି ଷ୍ଟାଡିୟମ୍‌ରେ ସର୍ବାଧିକ ସ୍କୋର ୨୪୫/୬ ୱେଷ୍ଟଇଣ୍ଡିଜ୍‌ ନାମରେ ରହିଛି । ୨୦୧୬ରେ ଭାରତ ବିପକ୍ଷରେ ଏହି ସ୍କୋର ହୋଇଥିଲା । ଶନିବାରର ଚତୁର୍ଥ ମ୍ୟାଚ୍‌ ପାଇଁ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଅଧିକ ନଜର ରହିବ । ଦଳର ଚତୁର୍ଥ ସ୍ଥାନ ପାଇଁ ତିଳକ ବଡ଼ ଦାବିଦାର ସାବ୍ୟସ୍ତ ହୋଇଛନ୍ତି । ମାତ୍ର ତିନିଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଅଭିଜ୍ଞତା ରଖିଥିଲେ ବି ତାଙ୍କ ଖେଳିବା ଶୈଳୀରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଏପରିକି ଭାରତର ଦିନିକିଆ ଦଳ‌ର ଶୀର୍ଷ ୬ଜଣଙ୍କ ମଧ୍ୟରେ ଜଣେ ହେଲେ ବି ବାମହାତୀ ବ୍ୟାଟର ନାହାନ୍ତି । ତେଣୁ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ତିଳକ ବଡ଼ ବିକଳ୍ପ ।

ସମ୍ଭାବ୍ୟ ଭାରତୀୟ ଏକାଦଶ : ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ୍‌, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର, ୟୁଝବେନ୍ଦ୍ର ଚହଲ ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ : କାଇଲ୍‌ ମେୟର୍ସ, ବ୍ରାଣ୍ଡନ କିଙ୍ଗ୍‌, ଜନସନ୍‌ ଚାର୍ଲ୍ସ, ନିକୋଲାସ ପୂରନ, ରୋଭମାନ ପାୱେଲ (ଅଧିନାୟକ), ସିମ୍ରନ ହେଟମାୟର, ଜାସନ୍‌ ହେଲ୍ଡର/ରସ୍ତନ୍‌ ଚେଜ୍, ରୋମାରିଓ ସେଫର୍ଡ, ଅକିଲ୍‌ ହୋସେନ୍‌, ଅଲଜାରି ଜୋସେଫ, ଓବେଦ୍‌ ମ୍ୟାକଏ ।