କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ଜିତି ଭାରତ ସିରିଜରେ ନିଜକୁ ବଞ୍ଚାଇ ରଖିଛି । ପୂର୍ବରୁ ଦୁଇଟି ଯାକ ମ୍ୟାଚ୍ ହାରି ସାରିଥିବାରୁ ତୃତୀୟ ମ୍ୟାଚ୍ ଜିତିବା ଟିମ୍ ଇଣ୍ଡିଆ ପାଇଁ ନିହାତି ଜରୁରୀ ହୋଇପଡ଼ିଥିଲା ।

Advertisment

ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମାୟର୍ସ ପ୍ରଥମ ୱିକେଟ୍‌ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭର ଖେଳିଥିଲେ। ପ୍ରଥମ ଦୁଇ ପରିବର୍ତ୍ତନରେ ଆସିଥିବା ଅକ୍ଷର ପଟେଲ୍ ଓ ୟୁଝବେନ୍ଦ୍ର ଚହଲ ପ୍ରଥମରୁ ପ୍ରଭାବହୀନ ରହିଥିଲେ। ତେବେ ମାୟର୍ସଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍‌ ପ୍ରାରମ୍ଭିକ ଯୋଡ଼ିକୁ ଅଲଗା କରିଥିଲେ । ଏହା ପରେ କୁଲଦୀପ ଯାଦବଙ୍କ ଆଗମନ ନିର୍ଣ୍ଣାୟକ‌ ହୋଇଥିଲା । ‌

ବ୍ରାଣ୍ଡନ୍ କିଙ୍ଗ୍‌, ଜନ୍‌ସନ୍ ଚାର୍ଲସ, ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ୪-୦-୨୮-୩ ବୋଲିଂ ଚିତ୍ର ସହ ଘରୋଇ ଦଳକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସରରୁ ରୋକିଥିଲେ । ଅଧିନାୟକ ରୋଭମାନ ପାୱେଲ ତିନୋଟି ଦର୍ଶନୀୟ ଛକା ସହିତ ୧୯ ବଲ୍‌ରୁ ୪୦ ରନ୍‌ କରିବାରୁ ୱେଷ୍ଟଇଣ୍ଡିଜ୍ ୧୫୯ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା । ଅକ୍ଷର ପଟେଲ୍ ଓ ମୁକେଶ କୁମାର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ଏହ‌ାର ପ୍ରାରମ୍ଭିକ ଯୋଡ଼ିଙ୍କୁ ପଞ୍ଚମ ଓଭର ଭିତରେ ହରାଇ ୩୪/୨ରେ ସଂଘର୍ଷ କରିଥିଲା । ଏହି ସମୟରେ କିନ୍ତୁ ମୁମ୍ବାଇ ଯୋଡ଼ି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା ପ୍ରତି ଆକ୍ରମଣଭରା ପାଳି ଖେଳି ଭାରତକୁ ୧୦.୩ ଓଭରରେ ୧୦୦ ରନ୍‌ ଅତିକ୍ରମ କରାଇ ଦେଇଥିଲେ । ସୂର୍ଯ୍ୟକୁମାର ତାଙ୍କ ସ୍ବାଭାବିକ ସଟ୍ ମାନ ଖେଳି ୨୩ ବଲ୍‌ରୁ ୫୦ ରନ୍ ଟପି ଯାଇଥିଲେ ।

ତେବେ ଶତକ ଆଡ଼କୁ ଦ୍ରୁତ ଅଗ୍ରସର ହେବାବେଳେ ୪୪ ବଲରୁ ୮୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ । ଅଲଜାରି ଜୋସେଫଙ୍କ ବଲ୍‌କୁ ସେ ସଠିକ୍ ଭାବେ କ୍ଲିୟର୍ କରିନପାରି ଫାଇନ୍ ଲେଗ୍‌ରେ ବ୍ରାଣ୍ଡନ୍ କିଙ୍ଗଙ୍କ ହାତରେ ଧରାପଡ଼ିଥିଲେ । ସୂର୍ଯ୍ୟଙ୍କ ପାଳିରେ ୧୦ ଚୌକା, ୪ ଛକା ସାମିଲ ଥିଲା । ସୂର୍ଯ୍ୟ ଚତୁର୍ଥ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଅବସରରେ ୧୦୦ ଛକା କ୍ଲବ୍‌ରେ ପ୍ରବେଶ କରିଥିଲେ ।