କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି । ୨ଟି ମ୍ୟାଚ ହାରି ସାରିଥିବାରୁ ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା । ଏବେ ଭାରତ ୦-୨ରେ ପଛରେ ରହିଯାଇଛି। ଏହି ସୀମିତ ଓଭର ଫର୍ମାଟ୍‌ରେ ବ୍ୟାଟରଙ୍କୁ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ । ହେଲେ ଈଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ୍‌ ପାଳି ଖେଳି ପାରିନାହାନ୍ତି । ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି । ଯେଉଁଥିପାଇଁ ସଂଜୁ ସାମସନ୍‌ ଓ ତିଳକ ବର୍ମା ହାତଖୋଲା ସଟ୍‌ ଖେଳି ପାରୁନାହାନ୍ତି ।

Advertisment

ତେଣୁ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଗିଲ୍‌, କିଶନ୍‌ ଓ ସୂର୍ଯ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି । ଭାରତୀୟ ବ୍ୟାଟିଂ କ୍ରମ ଅଧିକ ଗଭୀର ରହିଛି । ଅକ୍ଷର ପଟେଲ୍‌ ୭ ନମ୍ବରର ବ୍ୟାଟିଂ ଆସୁଥିବାରୁ ଦଳର ସନ୍ତୁଳନ ରକ୍ଷା ହେଉଛି ଓ ସମ୍ମାନଜକ ସ୍କୋର ‌ସଂଗ୍ରହ ହୋଇପାରୁଛି । ତେଣୁ ଏହି କ୍ରମରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍‌ ରହିଛି । ତେବେ ସ୍ପିନରଙ୍କ ମଧ୍ୟରେ ଆହତ ହୋଇ ଦ୍ବିତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା କୁଲଦୀପ ଯାଦବ ‌ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ ।

ସ୍ପିନରମାନେ ଭଲ ବୋଲିଂ କରୁଥିଲେ ସୁଦ୍ଧା ଗତ ମ୍ୟାଚ୍‌ରେ ନିକୋଲାସ ପୂରନ୍‌ଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ । ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ପୂରନ୍‌ ଧୂଲେଇ କରିଥିଲା ବେଳେ ଅକ୍ଷରଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏକ୍ଷେତ୍ରରେ କିଛିଟା ପରବର୍ତ୍ତନ ଆଶା କରାଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ବଲ୍‌ ଭଲ ସୁଇଂ କରୁଥିଲେ ବି ମୁକେଶ କୁମାର ରନ୍‌ ବ୍ୟୟ କରିଚାଲିଛନ୍ତି । ତେଣୁ ତୃତୀୟ ମ୍ୟାଚ୍‌ରେ ଆୱେସ୍‌ ଖାନ୍‌ କିମ୍ବା ଉମ୍ରାନ୍‌ ମଲ୍ଲିକଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି ।