କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ ଆଉ ପରୀକ୍ଷା କରିବା ପରିବର୍ତ୍ତେ ଅସଲ ବ୍ୟାଟିଂ କ୍ରମରେ ଖେଳି ବୋର୍ଡରେ ବଡ଼ ରନ୍‌ କରିବାକୁ ଚାହିଁବ ।

Advertisment

କେବେଳ ଏତିକି ନୁହେଁ ବିଶ୍ବକପ୍‌ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି, ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୧୫ ରନ୍‌କୁ ପିଛା କରିଥିଲେ ବି କେବଳ ଈଶାନ କିଶନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅଧିକ ସମୟ ପିଚ୍‌ରେ ରହିପାରିନଥିଲେ । ବିଶ୍ବକପ୍‌ରେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଏଥିପୂର୍ବରୁ ଆଉ ୧୧ ଟି ଦିନିକିଆ ଖେଳି ନିଜ ଦଳକୁ ପରଖିବାକୁ ହେବ । ତେଣୁ କିଏ କେଉଁ ସ୍ଥାନ ପାଇଁ ଉପଯୁକ୍ତ ତାହା ଏହି ସମୟରୁ ହିଁ ବାଛିବାକୁ ହେବ । ଅତ୍ୟଧିକ ପରୀକ୍ଷା ନୀରିକ୍ଷା କରିବା ଦ୍ବାରା ଦଳର ପ୍ରଦର୍ଶନକୁ ତାହା ପ୍ରଭାବିତ କରିବା ଆଶଙ୍କା ରହିଛି ।

ବ୍ରିଜଟାଉନ୍‌ର କେନସିଙ୍ଗଟନ୍‌ ଓଭାଲ୍‌ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ପିଚ୍‌ ପରିବର୍ତ୍ତେ ଦ୍ବିତୀୟ ପିଚ୍‌ରେ ଶନିବାର ମ୍ୟାଚ୍‌ ଖେଳାଯିବ । ଯଦିଓ ପିଚ୍‌ ଅଲଗା ହେଉଛି, କିନ୍ତୁ ଏହାର ବ୍ୟବହାର ପ୍ରାୟତଃ ସମାନ ରହିବ । ତେଣୁ ଭାରତ ପଛରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରଥମେ ବ୍ୟାଟିଂ କଲେ ବାମହାତୀ ସ୍ପିନର ଗୁଡ଼କେଶ ମୋତି ଓ ୟାନିକ୍‌ କାରିଆଙ୍କ ଲେଗ୍‌ ସ୍ପିନ୍‌ଙ୍କୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କୁ ସମସ୍ୟା ହୋଇପାରେ । କାରିବିୟାନ୍‌ର ଟର୍ଣ୍ଣିଂ ପିଚ୍‌ରେ ସ୍ପିନରଙ୍କୁ ଠିକ୍‌ ଭାବେ ଖେଳିବାରେ ‌ଭାରତୀୟମାନେ ଏପର୍ଯ୍ୟନ୍ତ ଅଭ୍ୟସ୍ତ ହୋଇପାରିନାହାନ୍ତି । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କଲେ ଗୁରୁବାର ମ୍ୟାଚ୍‌ ସ୍ଥିତି ଭଳି ଭାରତୀୟଙ୍କ ଅବସ୍ଥା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ଭାରତୀୟ ସମ୍ଭାବ୍ୟ ୧୧ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମୁକେଶ କୁମାର, ଉମ୍ରାନ ମଲ୍ଲିକ।

ୱେଷ୍ଟଇଣ୍ଡିଜ୍‌ ସମ୍ଭାବ୍ୟ ୧୧ : ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ଅଲିକ୍‌ ଅଥାନାଜ୍‌, ସାଇ ହୋପ୍‌ (ଅଧିନାୟକ), ସିମ୍ରନ ହେଟମାୟର, ରୋଭମନ ପାୱେଲ, ରୋମାରିଓ ସେଫର୍ଡ, ଡୋମନିକ୍‌ ଡ୍ରେକ୍ସ, ୟାନିକ୍‌ କାରିଆ, ଗୁଡକେଶ ମୋତି, ଜୟଦେନ୍‌ ସିଲ୍ସ।