ରବିବାର ଦିନ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଅନ୍ତିମ ମ୍ୟାଚ୍ ଖେଳାଯିବ । 

Advertisment

ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ଫାଇନାଲ ମ୍ୟାଚ୍ ହେବ । ଏସିଆ କପ୍ ବ୍ୟତୀତ ଉଭୟ ଦଳ ୧୨ ଟି  ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିଛନ୍ତି ।  ଏଥିରେ ଏକଦିବସୀୟ ବିଶ୍ୱକପ(ODI) ଫାଇନାଲ, ଟି -20 ବିଶ୍ୱକପ ଫାଇନାଲ ଏବଂ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମଧ୍ୟ ଅନ୍ତର୍ଭୁକ୍ତ ।

ଭାରତ ଏବଂ ଶ୍ରୀଲଙ୍କା କେବେ ଏବଂ କେଉଁଠାରେ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି  ?

ଫଳାଫଳ କ’ଣ ହେଇଛି ?

ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କେଉଁ ଦୁଇଟି ଦଳ ସର୍ବାଧିକ ସଂଖ୍ୟକ ଫାଇନାଲ ଖେଳିଛନ୍ତି ?

ସର୍ବାଧିକ ଫାଇନାଲ ବିଜୟୀ ହେଇଥିବା ରେକର୍ଡ କାହା ନାମରେ ରହିଛି ? 

ଭାରତ ଏବଂ ଶ୍ରୀଲଙ୍କା ୧୯ ଟି ଫାଇନାଲରେ ସାମନା ସାମନି ହେଇଛନ୍ତି । ଉଭୟ ୯-୯  ଥର ଜିତିଛନ୍ତି ଗୋଟିଏ ମ୍ୟାଚ  ଅମୀମାଂସିତ ରହିଛି ।

ICC, ACC ଏବଂ ଟ୍ରାଇ ସିରିଜର ସମସ୍ତ ଟୁର୍ଣ୍ଣାମେଣ୍ଟକୁ ମିଶାଇ ଏଥର ୨୦ ତମ ଥର ପାଇଁ ଫାଇନାଲ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ୧୯ ଟି ଫାଇନାଲରେ ଶ୍ରୀଲଙ୍କା ୯ ଥର ଏବଂ ଭାରତ ୯ ଥର ଜିତିଛି । ବିନା ଫଳାଫଳରେ ଗୋଟିଏ ମ୍ୟାଚ ସମାପ୍ତ ହୋଇଛି ।

ଶେଷ ଫାଇନାଲ ମ୍ୟାଚ ଶ୍ରୀଲଙ୍କା ଜିତିଥିଲା

୬ ଏପ୍ରିଲ ୨୦୧୪ରେ ଟି -20 ବିଶ୍ୱକପ ଫାଇନାଲରେ ଶେଷଥର ପାଇଁ ଭାରତ-ଶ୍ରୀଲଙ୍କା ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ ବାଂଲାଦେଶରେ ମିରପୁରର ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟରେ ୧୩୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ମାତ୍ର ୧୭.୫  ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା । ୫୨  ରନ୍‌ର ନଟଆଉଟ୍‌ ଇନିଂସ ଖେଳିଥିବା ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଏହି ମ୍ୟାଚରେ ‘ମ୍ୟାନ ଅଫ ଦ ମ୍ଯାଚ’ ହେଇଥିଲେ ।

ଏକଦିବସୀୟ ବିଶ୍ୱକପ ଫାଇନାଲରେ ଭାରତ ଜିତିଥିଲା

୨୦୧୧ ମସିହାରେ ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଦ୍ଵାରା ମିଳିତ ଭାବେ ICC ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଗ୍ରୁପ୍ ଏ’ରେ ଭାରତ ଦ୍ୱିତୀୟ ଏବଂ ଗ୍ରୁପ୍ ବି’ରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହି ଉଭୟ ନକ୍ଆଉଟ୍ ପର୍ଯ୍ୟାୟରେ ଫାଇନାଲରେ ପହଞ୍ଚିଥିଲେ । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଏବଂ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା ବେଳେ ଶ୍ରୀଲଙ୍କା କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅପ୍ରିଲ ୨ ରେ ଫାଇନାଲ ମ୍ୟାଚ ମୁମ୍ବାଇର ୱାଖାଣ୍ଡେ ଷ୍ଟାଡିଅମରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୬ ୱିକେଟରେ ୨୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୮.୪ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା । ୯୧  ରନ୍‌ର ନଟଆଉଟ୍‌ ଇନିଂସ ଖେଳିଥିବା ମହେନ୍ଦ୍ର ସିଂ ଧୋନି ‘ମ୍ୟାନ ଅଫ ଦ ମ୍ୟାଚ’ ହେଇଥିଲେ । ସେ ଏକ ବିଜୟୀ ଛକା ମାରିଥିଲେ।

ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦୁଇଥର ଖେଳାଯାଇଥିଲା

୨୦୦୨  ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲେ । ୨୯  ସେପ୍ଟେମ୍ବରରେ କଲମ୍ବୋରେ ଏହି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୨୪୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୨ ଓଭରରେ ୧୪ ରନ ସ୍କୋର କରିଥିଲା । ବର୍ଷା ଯୋଗୁଁ ସେଦିନର ମ୍ୟାଚ୍ ବାତିଲ ହେଇଥିଲା । ଫାଇନାଲ ପାଇଁ ଏକ ରିଜର୍ଭ ଡେ’ ରଖାଯାଇଥିଲା ମ୍ୟାଚ୍ ୩୦ ସେପ୍ଟେମ୍ବରରେ ପୁନର୍ବାର ହୋଇଥିଲା । ସେତେବେଳେ ମ୍ୟାଚ ପୁଣି ମୂଳରୁ ଖେଳା ଯାଉଥିଲା ଏଥର ପୁଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୨୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ୮.୪ ଓଭର ଖେଳି ୩୮ ରନ୍ ସଂଗ୍ରହ କରିଥିଲା ​​ଏବଂ ପୁଣି ବର୍ଷ ଯୋଗୁ ମ୍ୟାଚ ବାତିଲ ହେଲା ଏବଂ ଭାରତ ଓ ଶ୍ରୀଲଙ୍କ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଗଲା ।

ଏସିଆ କପ୍ ଫାଇନାଲରେ ୭ ଥର ଆମନା ସାମନା  ୪ ଥର ଭାରତ ଚାମ୍ପିଅନ୍

୧୩ ବର୍ଷ ପରେ ଏସିଆ କପ ଫାଇନାଲରେ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି ।  ୨୦୧୦ରେ ଦୁହିଙ୍କ ମଧ୍ୟରେ ଶେଷ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଭାରତ ଏହାକୁ ୮୧  ରନରେ ଜିତି ନେଇଥିଲା ।  ଏ ପର୍ଯ୍ୟନ୍ତ ଏସିଆ କପ୍ ଫାଇନାଲ୍ ଉଭୟଙ୍କ ମଧ୍ୟରେ ୭ ଟି ମ୍ୟାଚ ଅନୁଷ୍ଠିତ ହୋଇଛି ।  ଭାରତ ୪ ଥର ଏବଂ ଶ୍ରୀଲଙ୍କା ୩ ଥର ବିଜୟ ଲାଭ କରିଛି ।

ସମସ୍ତ ଫାଇନାଲର ଫଳାଫଳ

୧- ୧୯୮୮ – ଢାକା – ଭାରତ ବିଜୟୀ

୨- ୧୯୯୧ – କୋଲକାତା - ଭାରତ ବିଜୟୀ

୩- ୧୯୯୫- ଶାରଜାହା - ଭାରତ ବିଜୟୀ

୪- ୧୯୯୭ – କଲମ୍ବୋ – ଶ୍ରୀଲଙ୍କା ବିଜୟୀ

୫ – ୨୦୦୪ – କଲମ୍ବୋ - ଶ୍ରୀଲଙ୍କା ବିଜୟୀ

୬- ୨୦୦୮ – କରାଚି - ଶ୍ରୀଲଙ୍କା ବିଜୟୀ

୭- ୨୦୧୦ – ଦାମ୍ବୁଲେ – ଭାରତ ବିଜୟୀ

ଅନ୍ୟ ଟୁର୍ନାମେଣ୍ଟରେ ୯ ଥର ଫାଇନାଲ ହେଇଛି

ACC ଏବଂ ICC  ଟୁର୍ଣ୍ଣାମେଣ୍ଟ ବ୍ୟତୀତ ଭାରତ ଏବଂ ଶ୍ରୀଲଙ୍କା ଉଭୟ  ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ୯  ଥର ପରସ୍ପରକୁ ଭେଟିଛନ୍ତି । ଶ୍ରୀଲଙ୍କା ୬ ଥର ଏବଂ ଭାରତ ମାତ୍ର ୩  ଥର ଜିତିଛି । ଏହି ଟୁର୍ଣ୍ଣାମେଣ୍ଟଗୁଡିକରେ  ୩ ଏବଂ ୪ ଟି ଦଳ ଭାଗ ନେଇଥିଲେ ।

ଏହି ୯  ଫାଇନାଲର ଫଳାଫଳ

୧- ୧୯୯୪ - ସିଙ୍ଗର ୱାର୍ଲ୍ଡ ସିରିଜ – କଲମ୍ବୋ – ଭାରତ ବିଜୟୀ

୨ – ୧୯୯୮ - ସିଙ୍ଗର ୱାର୍ଲ୍ଡ ସିରିଜ – କଲମ୍ବୋ – ଭାରତ ବିଜୟୀ

୩ – ୨୦୦୦ – କୋକାକୋଲା ଚାମ୍ପିଆନ୍ସ ଟ୍ରଫି – ଶାରଜାହା – ଶ୍ରୀଲଙ୍କା ବିଜୟୀ

୪ – ୨୦୦୧ - କୋକାକୋଲା ଚାମ୍ପିଆନ୍ସ ଟ୍ରଫି – କଲମ୍ବୋ – ଶ୍ରୀଲଙ୍କା ବିଜୟୀ

୫ – ୨୦୦୫ – ଇଣ୍ଡିଆନ ଅଏଲ କପ – କଲମ୍ବୋ – ଶ୍ରୀଲଙ୍କା ବିଜୟୀ

୬ – ୨୦୦୯ – କୋଉମପକ କପ – କଲମ୍ବୋ – ଶ୍ରୀଲଙ୍କା ବିଜୟୀ

୭ – ୨୦୧୦ – ଟ୍ରାଇ ନେସନ ଟୁର୍ନାମେଣ୍ଟ – ମୀରପୂର – ଶ୍ରୀଲଙ୍କା ବିଜୟୀ

୮ – ୨୦୧୦ - ଟ୍ରାଇ ନେସନ ଟୁର୍ନାମେଣ୍ଟ – ଦାମ୍ବୁଲେ – ଶ୍ରୀଲଙ୍କା ବିଜୟୀ

୯ – ୨୦୧୩ - ଟ୍ରାଇ ନେସନ ଟୁର୍ନାମେଣ୍ଟ – ପୋର୍ଟ ଅଫ ସ୍ପେନ – ଭାରତ ବିଜୟୀ

ଦୁଇ ଦେଶ ମଧ୍ୟରେ ସବୁଠୁ ଅଧିକ ଖେଳା ଯାଇଥିବା ଫାଇନାଲ ମ୍ଯାଚ

ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସବୁଠୁ ଅଧିକ ଫାଇନାଲ ମ୍ୟାଚ୍ ଖେଳିବାର ବିଶ୍ୱରେକର୍ଡ ରହିଛି ।  ଉଭୟ ଦଳ ଏପର୍ଯ୍ୟନ୍ତ ବିଭିନ୍ନ ଟୁର୍ନାମେଣ୍ଟର ୨୧ ଟି ଫାଇନାଲ ଖେଳିଛନ୍ତି ।  ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୦ ଟି ଫାଇନାଲ ଖେଳାଯାଇଛି । ଶ୍ରୀଲଙ୍କା ପାକିସ୍ତାନ ଦଳ ୧୮ ଟି ଫାଇନାଲ ଖେଳିଛନ୍ତି ।

ଅଷ୍ଟ୍ରେଲିଆ ସର୍ବାଧିକ ଫାଇନାଲରେ ବିଜୟୀ ହୋଇଛି

ଅଷ୍ଟ୍ରେଲିଆ ପାଖରେ ସର୍ବାଧିକ ସଂଖ୍ୟକ ଫାଇନାଲ ମ୍ୟାଚ ଖେଳିବା ଏବଂ ଜିତିବାର ରେକର୍ଡ ମଧ୍ୟ ରହିଛି । ଏହି ଦଳ ତିନୋଟି ଫର୍ମାଟରେ ୯୫ ଟି ଫାଇନାଲ୍ ଖେଳିଛି | ୬୦ ଟି ରେ ବିଜୟୀ ହୋଇଥିବା ବେଳେ ୩୨ ଟିରେ ପରାଜୟ ସ୍ଵୀକାର କରିଛି । ୩ ଟି ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି । ଅଷ୍ଟ୍ରେଲିଆ ପରେ ଭାରତ ସର୍ବାଧିକ ୭୦ ଟି  ଫାଇନାଲ ଖେଳିଛି। କିନ୍ତୁ ସର୍ବାଧିକ ସଂଖ୍ୟକ ଫାଇନାଲ ଜିତିବା କ୍ଷେତ୍ରରେ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି ।  ଭାରତ ଅପେକ୍ଷା ଶ୍ରୀଲଙ୍କା ଅଧିକ ଫାଇନାଲ ଜିତିଛି ।

ସର୍ବାଧିକ ଫାଇନାଲ ଜିତିଥିବା ଟିମ ସୂଚୀ

୧- ଅଷ୍ଟ୍ରେଲିଆ – ୯୫ ମ୍ୟାଚ – ୬୦ ବିଜୟୀ – ୩୨ ପରାଜିତ – ୩ ଅମୀମାଂସିତ

୨- ଶ୍ରୀଲଙ୍କା – ୬୨ ମ୍ୟାଚ – ୩୪ ବିଜୟୀ – ୨୬ ପରାଜିତ – ୨ ଅମୀମାଂସିତ

୩- ଭାରତ – ୭୦ ମ୍ୟାଚ – ୨୯ ବିଜୟୀ – ୩୬ ପରାଜିତ – ୫ ଅମୀମାଂସିତ

୪- ପାକିସ୍ତାନ – ୬୬ ମ୍ୟାଚ – ୨୯ ବିଜୟୀ – ୩୬ ପରାଜିତ – ୧ ଅମୀମାଂସିତ

୫ - ୱେଷ୍ଟଇଣ୍ଡିଜ – ୫୦ ମ୍ୟାଚ – ୨୫ ବିଜୟୀ – ୨୩ ପରାଜିତ – ୨ ଅମୀମାଂସିତ