କନକ ବ୍ୟୁରୋ : ନୂଆବର୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ଭାରତୀୟ ଦଳର ତିନି ପ୍ରମୁଖ ତାରକା ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ପଡ଼ିଆକୁ ଓହ୍ଲାଇବ ଦଳ । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ଟିକିଆ ଟି-୨୦ ସିରିଜ୍ ଖେଳିବ ଦଳ । ଶ୍ରୀଲଙ୍କା ପାଇଁ ଘାତକ ସାଜିବେ ଯୁବ ପେସ୍ ବାହିନୀ । ଅର୍ଶଦୀପ ସିଂହ ପେସ୍ ବିଭାଗ ସମ୍ଭାଳିବେ । ତାଙ୍କ ସହ ଉମ୍ରାନ୍ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର ଓ ହର୍ଷଲ ପଟେଲ ପେସ୍ ବୋଲର ଭାବେ ରହିଛନ୍ତି ।

Advertisment

ସେହିପରି ବ୍ୟାଟିଂ ବିଭାଗରେ ସିନିୟର ଖେଳାଳି ନଥିବାରୁ ଇଶାନ କିଷନ, ଋତୁରାଜ ଗାଏକୱାଡ୍ ଓ ଶୁଭମନ ଗିଲଙ୍କ ମଧ୍ୟରେ ଓପନିଂ ନେଇ ଟଣାଓଟରା ହେବ । ଅକ୍ଷର ପଟେଲ ଓ ଯୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ସ୍ପିନ୍ ବିଭାଗ ପାଇଁ ପ୍ରତିଦ୍ୱନ୍ଦିତା ହେବ । ୱାସିଂଟନ୍ ସୁନ୍ଦର ଅଲ୍ରାଉଣ୍ଡର ଭାବେ ଖେଳିବା ପ୍ରାୟ ନିଶ୍ଚିତ । ସେହିପରି ଗତ ଟି-୨୦ ବିଶ୍ୱକପ୍ ପରଠାରୁ ଶ୍ରୀଲଙ୍କା କୌଣସି ଟି-୨୦ ମ୍ୟାଚ୍ ଖେଳିନାହିଁ । ଟି-୨୦ ଫର୍ମାଟରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି । ଦଳର ବୋଲିଂ ବିଭାଗ ମୁଖ୍ୟତଃ ହସରଙ୍ଗାଙ୍କ ଉପରେ ନିର୍ଭର କରିବ । ଗତ ବର୍ଷ ସେ ୭୩ଟି ୱିକେଟ୍ ନେଇଥିଲେ ।