କନକ ବ୍ୟୁରୋ : ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ଅଛି । ତିନିଟିକିଆ ଏହି ଟି-୨୦ ସିରିଜରେ ପ୍ରଥମ ମ୍ୟାଚ ଭାରତ ଜିତିସାରିଥିବାରୁ ଆଜି ଶୃଙ୍ଖଳା କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଦକ୍ଷିଣ ଆଫ୍ରିକା ଆଜି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ । ଭାରତର ବ୍ୟାଟିଂ ଲାଇନ୍ ଦୃଢ ଥିଲେ ବି ବୋଲର ସମସ୍ୟା ଭାରତ ପାଇଁ କାଳ ସାଜିଛି ।

Advertisment

ଆଜି ଟିମରେ ଦୁଇ ନୂଆ ପେସ ବୋଲର ଖେଳିବାର ସମ୍ଭାବନା ରହିଛି । ଉମେଣ ଯାଦବ, ମହମ୍ମଦ ସିରାଜ ଟିମରେ ଥିବାରୁ ସିରାଜଙ୍କୁ ଆଜି ଖେଳିବାକୁ ସୁଯୋଗ ମଳିପାରେ । କାରଣ ଭାରତର ଦ୍ରୁତ ବୋଲର ଯଶପ୍ରିତ ବୁମରା ଆହତ ହୋଇଥିବାରୁ ସେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବୁମରାଙ୍କ ବିଶ୍ୱକପ ଖେଳିବା ଆଶଙ୍କା କମ୍ ଥିବାରୁ ଦଳ ତାଙ୍କ ସ୍ଥାନରେ କାହାକୁ ଖେଳାଇବ ତାକୁ ନେଇ ପେସ ବୋଲରମାନଙ୍କ ପରୀକ୍ଷା ନିଆଯିବ ।

ବୋଲରଙ୍କ ଅପେକ୍ଷା ଭାରତୀୟ ବ୍ୟାଟରମା‌ନେ ଅଧିକ ଆତ୍ମବିଶ୍ବାସଭରା ରହିଛନ୍ତି । ଶ୍ରେଷ୍ଠ ୪ ବ୍ୟାଟରଙ୍କ ସହ ବିରାଟ କୋହଲି ପୂର୍ବ ଲୟକୁ ଫେରିବା ଭାରତକୁ ଭଲ ସଙ୍କେତ ଦେଉଛି । କେ.ଏଲ୍‌. ରାହୁଲ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିବା ତାଙ୍କ ଆତ୍ମବିଶ୍ବାସ ବଢ଼ାଇଛି । ମଧ୍ୟକ୍ରମରେ ଋଷଭ ପନ୍ତ ଓ ଦୀନେଶ କାର୍ତ୍ତିକ ଅଧିକ ବ୍ୟାଟିଂ ପାଉନଥିଲେ ବି ଅଷ୍ଟ୍ରେଲିଆରେ ଏମାନେ ଭାରତର ପ୍ରମୁଖ ଅସ୍ତ୍ର ପାଲଟିପାରନ୍ତି । ଅନ୍ୟପକ୍ଷରେ ଭାରତରେ ଆଦୌ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଦକ୍ଷିଣ ଆଫ୍ରିକା ଗୁଆହାଟୀରେ ବିଜୟୀ ହୋଇ ଶୃଙ୍ଖଳା ଜୀବନ୍ତ ରଖିବାର ଭରପୁର ପ୍ରୟାସ କରିବ ।

ସମ୍ଭାବ୍ୟ ଭାରତ ଏକାଦଶ : ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍‌ ପାଣ୍ଡ୍ୟା, ଦୀନେଶ କାର୍ତିକ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଦୀପକ ଚହର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ : ତେମ୍ବା‌ ବଭୂମା (ଅଧିନାୟକ), କ୍ବିଣ୍ଟନ ଡି’ କକ୍‌, ରିଲି ରୁସୋ, ଏଦେନ୍‌ ମର୍କରାମ, ଡେଭିଡ୍‌ ମିଲର, ତ୍ରିଷ୍ଟାନ୍‌ ଷ୍ଟବ୍ସ, ୱେନ୍‌ ପାର୍ନେଲ, କେଶବ ମହାରାଜ, କାଗିସୋ ରବାଦା, ଅନ୍‌ରିକ୍‌ ନର୍ଖିୟା, ତାବ୍ରିଜ୍‌ ସାମ୍‌ସୀ।