ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ?

1,162

କନକ ବ୍ୟୁରୋ :  ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଉ ତାହା ବି ପୁଣି ଟି-୨୦ରେ । ତେଣୁ ପାକିସ୍ତାନ ଠାରୁ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ପାକିସ୍ତାନ ବିପକ୍ଷରେ ରୋହିତଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କାରଣ ଟି-୨୦ ଅଧିନାୟକ ପଦ କୋହଲି ଛାଡିବା ପରେ ଏବେ ରୋହିତଙ୍କ କାନ୍ଧରେ ରହିଛି ଟିମ୍ ଇଣ୍ଡିଆର ଟି-୨୦ ଭାର । ତେବେ କେବେ ଓ କେଉଁଠି ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ ସେ ବାବଦରେ ଆସନ୍ତୁ ନଜର ପକାଇବା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୨ ସେପ୍ଟେମ୍ବର ମାସରେ ଶ୍ରୀଲଙ୍କାରେ ଟି-୨୦ ଫର୍ମାଟରେ ଏସିଆ କପ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ସମସ୍ତ ଦଳ ମୈଦାନକୁ ଓହ୍ଲାଇବେ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ । ଏସିଆନ କ୍ରିକେଟ କାଉନସିଲ ବୈଠକରେ ଶ୍ରୀଲଙ୍କାକୁ ଏସିଆ କପ ଆୟୋଜନ ପାଇଁ ଗ୍ରୀନ୍ ସିଗନାଲ ମିଳିଥିଲା । ସେହିଭଳି ୨୦୨୩ରେ ପାକିସ୍ତାନରେ ଏସିଆ କପ୍ ଖେଳାଯାଇପାରେ । ଏହା ଟି-୨୦  ବଦଳରେ  ୫୦ ଓଭର ଫର୍ମାଟରେ ଖେଳାଯିବ । କିନ୍ତୁ ପାକିସ୍ତାନରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେବ କି ନାହିଁ ତାହାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ଦୀର୍ଘ ବର୍ଷ ହେବ ପାକିସ୍ତାନ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିନାହିଁ ।

ଟି-୨୦ ଏସିଆ କପ ପରେ ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ । ୨୦୨୨ ଅକ୍ଟୋବର-ନଭେମ୍ବର ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ । ଏହାଛଡା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜକୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।  ଭାରତ-ପାକିସ୍ତାନ ମ୍ୟାଚକୁ ଅଧିକାଂଶ କ୍ରିକେଟପ୍ରେମୀ ଚାହିଁ  ରହିଥାନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ ଉଭୟ ଦେଶ ମଧ୍ୟରେ କୌଣସି ସିରିଜ ଖେଳାଯାଇନାହିଁ । ତେବେ ପୁଣିଥରେ ଉଭୟ ଦେଶ ମଧ୍ୟରେ ସିରିଜ ଖେଳାଯିବା  ବୋର୍ଡ ହାତରେ ନାହିଁ । ରାଜନୀତି କାରଣରୁ କ୍ରିକେଟ ସମ୍ପର୍କ ଖରାପ ହୋଇଛି । ତେଣୁ ଉଭୟ ଦେଶ ମଧ୍ୟରେ କ୍ରିକେଟ ସିରିଜ ଖେଳାଯିବା ନେଇ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ତେବେ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଆମେ ଏତେ ବ୍ୟସ୍ତ ନାହୁଁ ।ଆମର ପୂରା ଫୋକସ ଏବେ ଘରୋଇ ଓ ସ୍ଥାନୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉପରେ ରହିଛି ।

୨୦୦୮ରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ  ଭାରତରେ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ନୀରିହ ଲୋକଙ୍କର ଜୀବନ ଯାଇଥିଲା । ଆଉ ଏହି ଆକ୍ରମଣର ପ୍ରଭାବ କେବଳ ରାଜନୈତିକ ସ୍ତରରେ ନୁହେଁ ବରଂ କ୍ରିକେଟ ଉପରେ ମଧ୍ୟ ପଡିଥିଲା । ସେବେଠାରୁ ଭାରତ କୌଣସି ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତ କରିନାହିଁ । ସାଧାରଣତଃ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଥାଏ । ଏହି ମ୍ୟାଚକୁ ଚାହିଁ ରହିଥାନ୍ତି ପୂରା ବିଶ୍ୱର କ୍ରିକେଟପ୍ରେମୀ । ଯାହାର ଝଲକ ଗତ ଟି-୨୦ ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଥିଲା । ଅବଶ୍ୟ ବିଶ୍ୱକପ୍ ଇତିହାସରେ ପ୍ରଥମଥର ପାଇଁ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା ଭାରତ । ଆଉ ତାହା ବି ପୁଣି ୧୦ ୱିକେଟରେ । ପାକିସ୍ତାନ ସେମିଫାଇନାଲରୁ ବିଦା ହୋଇଥିବା ବେଳେ ଟିମ୍ ଇଣ୍ଡିଆ ସୁପର-୧୨ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ହାଇଭୋଲଟେଜ ମୁକାବିଲାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ ।