ବାବର ଆଜମଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ୧୦ ବର୍ଷ ଧରି ଯୌନଶୋଷଣ କରିଥିବା ଅଭିଯୋଗ ଆଣିଥିଲେ ପ୍ରେମିକା ।

280

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍ ଏବେ ସବୁ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷବିନ୍ଦୁ ସାଜିଛନ୍ତି । ଭାରତ ବିପକ୍ଷରେ ପାକିସ୍ତାନର ବଡ ବିଜୟ ତାଙ୍କୁ ଏହି ଖାସ୍ ଉପଲବ୍ଧି ଦେଇଛି । ତେବେ କ୍ରିକେଟ୍ ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍ ଅଧିକାଂଶ ସମୟରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ପାଲଟିଥାନ୍ତି । କିଛି ବର୍ଷ ତଳେ ବାବର ଆଜମଙ୍କ ଜଣେ ଗର୍ଲଫ୍ରେଣ୍ଡ ତାଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ସ୍ଥିତି ଏମିତି ହୋଇଥିଲା ଯେ, ବାବର ଆଜମଙ୍କୁ ଏହି ମାମଲାରେ କୋର୍ଟ ଦଣ୍ଡ ଦେବାକୁ ମଧ୍ୟ ସ୍ଥିର କରିସାରିଥିଲେ । ହେଲେ ଶେଷକୁ ଏହି ମାମଲା ଥମିଯାଇଥିଲା ।

ଅସଲ କଥା ହେଉଛି, ବାବରଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ହମିଜା ମୁଖତାର ତାଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ । ୧୦ ବର୍ଷ ଧରି ବାବର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନଶୋଷଣ କରିଥିବା ସେ ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ, ବାବର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ପରେ ବିବାହ କରିବାକୁ ରାଜି ହୋଇନଥିଲେ ବୋଲି ହମିଜା ଅଭିଯୋଗ କରିଥିଲେ । ଅନ୍ୟପଟେ ହମିଜା, ବାବରଙ୍କ ପିଲାର ମା ମଧ୍ୟ ହେବାକୁ ଯାଉଥିଲେ । ହେଲେ ଏହି କଥା ଜାଣିବା ପରେ ବାବର ତାଙ୍କର ଗର୍ଭପାତ କରିଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ । ଯାହାକି ସେ ସମୟରେ ବେଶ ଚର୍ଚ୍ଚାର କାରଣ ପାଲଟିଥିଲା ।

ତେବେ ଏହି ମାମଲାରେ କୋର୍ଟରେ ପହଞ୍ଚିବା ପରେ , ବାବର ଆଜମକୁ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଥିଲା । ହେଲେ ଶେଷ ମୁହୂର୍ତ୍ତରେ ବାବର, ହମିଜାଙ୍କୁ ୨୦ ଲକ୍ଷ ଟଙ୍କା ଦେଇ ତାଙ୍କ ପାଟି ଚୁପ୍ କରିଦେଇଥିବା ଖବର ପ୍ରକାଶ ପାଇଥିଲା । ଏନେଇ ନିଜେ ହମିଜା ହିଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେଣୁ କ୍ରିକେଟ୍ ଚର୍ଚ୍ଚିତ ହେବା ବ୍ୟତୀତ ବାବର ଆଜମ ତାଙ୍କ ବ୍ୟକ୍ତିଗତ ଜୀବନକୁ ଅନେକ ସମୟରେ ବିବାଦ ଘେରକୁ ଆସିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ୱକପରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟ ହାସଲ କରିଛି ପାକିସ୍ତାନ । ପ୍ରଥମ ଅଧିନାୟକ ଭାବେ ବାବର ଆଜମ ଏହି କରାମତି କରି ଦେଖାଇଛନ୍ତି । ତେବେ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷବିନ୍ଦୁ ସାଜିଥିବା ପାକିସ୍ତାନୀ ଅଧିନାୟକଙ୍କ ଏହି ବିବାଦୀୟ କଥାଟି ମଧ୍ୟ ଖୁବ୍ କମ୍ ଲୋକ ଜାଣିଥିବେ ।