ମାଞ୍ଚେଷ୍ଟର ଆକାଶରୁ ହଟିବନି ବାଦଲ: ଆରମ୍ଭ ହେବ ଖେଳ, ଆରମ୍ଭ ହେବ ବର୍ଷା !

379

କନକ ବ୍ୟୁରୋ: ଆଜି ବି ବାଧା ଦେଇପାରେ ବର୍ଷା । ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚର ବାକିଆ ଖେଳରେ ପୁଣି ବାଧକ ସାଜିପାରେ ବର୍ଷା । କାରଣ ଭାରତୀୟ ସମୟ ଅନୁସାରେ ଆଜି ସକାଳେ ମାଞ୍ଚେଷ୍ଟରରେ ବର୍ଷା ହୋଇଛି । ଆଉ ମାଞ୍ଚେଷ୍ଟର ଆକାଶରେ କଳା ବାଦଲ ଘୁରି ବୁଲୁଛି ।

ତେବେ ଆକ୍ୟୁ ୱେଦର ଡଟ କମ ଅନୁସାରେ ଆଜି ମ୍ୟାଚ ଆରମ୍ଭ ପରେ ପରେ ହିଁ ବର୍ଷା ହେବାର ଅନୁମାନ କରାଯାଉଛି । ନ୍ୟୁଜିଲାଣ୍ଡ ୪୭ ଓଭରର ୨ୟ ବଲରୁ ବାକିଆ ଖେଳ ଆରମ୍ଭ କରିବା ପରେ ହିଁ ପଡିଆରେ ବର୍ଷା ଆରମ୍ଭ ହେବାର ଅନୁମାନ କରାଯାଇଛି । ଅପରାହ୍ଣ ୩.୩୦ରୁ ବର୍ଷା ଆରମ୍ଭ ହୋଇ ୪.୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବର୍ଷା ୫.୩୦ରୁ ୮.୩୦ ପର୍ଯ୍ୟନ୍ତ କମ ରହିବ ମାତ୍ର ଆକାଶରେ ବାଦଲ ଘୋଡି ରହିବ । କିନ୍ତୁ ପୁଣି ୯ଟା ୩୦ରେ ବର୍ଷା ତାର ଖେଳ ଆରମ୍ଭ କରିଦେବ ବୋଲି ଅନୁମାନ କରାଯାଇଛି ।

ତେବେ ଗତକାଲି ମାଞ୍ଚେଷ୍ଟରରେ ବର୍ଷା ଲାଗି ରହିବାରୁ ଖେଳାଯାଉଥିବା ମ୍ୟାଚକୁ ଶେଷ ମୁହୂର୍ତ୍ତରେ ଅଧାରୁ ଆଜିକୁ ସ୍ଥଗିତ ରଖାଯାଇଥିଲା । ଆଜି ବାକିଆ ମ୍ୟାଚ ଖେଳାଯିବ । ଗତକାଲି ଯେଉଁଠୁ ଖେଳ ବନ୍ଦ୍ ରହିଥିଲା ଆଜି ସେଇଠୁ ଆରମ୍ଭ ହେବ । ଅର୍ଥାତ ଆଜି ପ୍ରଥମେ କିୱି ଦଳ, ବାକି ଥିବା ଅବଶିଷ୍ଟ ଓଭରରେ ବ୍ୟାଟିଂ କରିବ । ତାପରେ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ଗତକାଲି କିୱି ଟିମ୍ ମ୍ୟାଚ୍ର ୪୭ ତମ ଓଭର ଖେଳୁଥିବା ବେଳେ ତୁହାକୁ ତୁହା ବର୍ଷା ହୋଇଥିଲା । ଏହାପରେ ଅମ୍ପାୟର ମ୍ୟାଚକୁ ବନ୍ଦ ରଖିଥିଲେ । ରାତି ୧୦ଟାରେ ବର୍ଷା ଟିକେ କମ ହେବାରୁ ଫିଲ୍ଡରୁ କଭର ହଟାଯାଇଥିଲା । ଅମ୍ପାୟର ପିଚ୍ର ଅନୁଧ୍ୟାନ କରିଥିଲେ ।

ହେଲେ ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ପଡିଆକୁ ପୁଣି କଭରରେ ଘୋଡାଇ ଦିଆଯାଇଥିଲା । ଏଭଳି ସ୍ଥିତିରେ ମ୍ୟାଚ ହେବା ଅସମ୍ଭବ ହେବାରୁ ରାତି ୧୦ଟା ୫୦ରେ ମ୍ୟାଚକୁ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଥିଲା । ମ୍ୟାଚ୍ ବନ୍ଦ ହେବା ବେଳକୁ ନ୍ୟୁଜିଲାଣ୍ଡ ୪୬ ଓଭରରେ ୫ ଉଇକେଟ୍ ହରାଇ ୨୧୧ ରନ୍ କରିଛି ।