ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ୍ : ସିରିଜ୍ ଜିତି ଘରୋଇ ମାଟିରେ ରେକର୍ଡ କାଏମ ରଖିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

156

କନକ ବ୍ୟୁରୋ : ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ମ୍ୟାଚଟି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଜିତିଥିଲା । ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା । ଶେଷ ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ ନିଜ ନିଜ ନାଁରେ କରିବାକୁ ପ୍ରୟାସ କରିବେ ।

ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌର ପିଚକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପିଚ୍ ଏତେ ନିମ୍ନମାନର ହୋଇଥିଲା ଯେ ବ୍ୟାଟରଙ୍କୁ ବ୍ୟାଉଣ୍ଡ୍ରୀ ମାରିବା କଷ୍ଟକର ହୋଇପଡ଼ିଥିଲା । ପିଚ୍ ନିର୍ମାଣରେ ଅବହେଳା କରାଯିବା ଏବଂ ନିମ୍ନମାନର ପିଚ୍ ପ୍ରସ୍ତୁତ କରାଯିବା ଅଭିଯୋଗରେ ଲକ୍ଷ୍ନୌ କ୍ୟୁରେଟରଙ୍କୁ ବରିଷ୍କାର କରାଯାଇଛି । ତେବେ ଅହମଦାବାଦରେ ପିଚ୍ ଉଭୟ ବ୍ୟାଟିଂ ପାଇଁ ଅନୁକୂଳ ହେବ ବୋଲି ଉଭୟ ଦଳର ଖେଳାଳି ଆଶାବାଦୀ ଅଛନ୍ତି ।

ପିଚକୁ ଦେଖି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରିପାରେ । ପୃଥ୍ୱୀ ଶ’ ଓ ଉମ୍ରାନ୍ ମଲିକ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ସେପଟେ ନ୍ୟୁଜିଲାଣ୍ଡ ତା’ର ଏକାଦଶରେ ବିଶେଷ ପରିବର୍ତ୍ତନ କରିବା ଯୋଜନାରେ ନାହିଁ । ଗତ ଦୁଇ ବର୍ଷ ଧରି ଟି-୨୦ ଫର୍ମାଟରେ ସର୍ବାଧିକ ୱିକେଟ୍ ହାସଲକାରୀ ତାଲିକାରେ ତୃତୀୟରେ ଥିବା ଈଶ ସୋଢୀଙ୍କ ଉପରେ ନ୍ୟୁଜିଲାଣ୍ଡ ଅଧିକ ନିର୍ଭର କରିବ ।

ସମ୍ଭାବ୍ୟ ଭାରତ ଏକାଦଶ : ଶୁବମନ ଗିଲ୍‌, ଈଶାନ କିଶନ, ରାହୁଲ ତ୍ରିପାଠୀ/ପୃଥ୍ବୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍‌ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଦା, ୱାସିଂଟନ୍‌ ସୁନ୍ଦର, ଶିବମ ମାଭି, କୁଲ୍‌ଦୀପ ଯାଦବ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ : ଫିନ୍‌ ଆଲେନ, ଡେଭନ କନ୍‌ୱେ, ମାର୍କ ଚାପମାନ୍, ଗ୍ଲେନ୍‌ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରାସ୍‌ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଈଶ ସୋଢ଼ି, ଲୋକି ଫର୍ଗୁସନ, ଜାକୋବ ଡଫ୍, ବ୍ଲେୟାର ଟିକ୍‌ନର।