ସୁପରଓଭରରେ ହିଟ୍ ମ୍ୟାନଙ୍କ ସୁପର ସିକ୍ସ । ହାମିଲଟନରେ ହାଇଭୋଲଟେଜ ମ୍ୟାଚ୍, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ ।

309

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଟି-୨୦ ସିରିଜ କବଜା କରିନେଇଛି ଟିମ୍ ଇଣ୍ଡିଆ । ହାମିଲଟନରେ ହୋଇଛି ହାଇଭୋଲଟେଜ୍ ମ୍ୟାଚ୍ । ଯେଉଁଠି ମ୍ୟାଚ୍ ଟାଇ ହୋଇଯାଇଥିଲା ଏବଂ ଫଇସଲା ହୋଇଥିଲା ସୁପର ଓଭରରେ ।

ହାମିଲଟନରେ ହାଇଭୋଲଟେଜ ମ୍ୟାଚ୍ । ସୁପର ଓଭରରେ ସିରିଜ ଜିତିଲା ଭାରତ । ସୁପର ଓଭରରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସୁପର ସିକ୍ସ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିିଆକୁ ଦେଇଛି ଆଉ ଏକ ବଡ ବିଜୟ । ହାମିଲଟନର ହାଇଭୋଲଟେଜ୍ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ ।

ଆଜିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଭାରତ ୫ଟି ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୮୦ ରନର ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ସମାନ ୧୭୯ ରନ୍ କରିଥିଲା ।

ଶେଷ ବଲରେ ମାତ୍ର ୧ ରନର ଆବଶ୍ୟକ ଥିବା ବେଳେ ରସ୍ ଟେଲରଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ ମହମ୍ମଦ ସାମି । ଫଳରେ ମ୍ୟାଚ୍ ଯାଇ ପହଞ୍ଚିଥିଲା ସୁପରଓଭରରେ ।

ସୁପରଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ କରି ଭାରତ ଆଗରେ ଧାର୍ଯ୍ୟ କରିଥିଲା ୧୮ ରନର ବିଜୟଲକ୍ଷ୍ୟ । ପ୍ରଥମ ଦୁଇଟି ବଲ୍ ଧିମା ବ୍ୟାଟିଂ କରିଥିଲା ଭାରତ । ଶେଷ ୨ଟି ବଲରୁ ୧୦ ରନର ଆବଶ୍ୟକତା ଥିବା ବେଳେ ୨ଟି ଦର୍ଶନୀୟ ଛକା ମାରି ଦଳକୁ ବିଜୟୀ ଭେଟି ଦେଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦମଦାର ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।

Comments are closed.