ଆଜି ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ : ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

99

କନକ ବ୍ୟୁରୋ : ଇନ୍ଦୋରରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ । ଆଉ ଏକ ସିରିଜ କ୍ଲିନସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତିଲେ ଦିନିକିଆ ମାନ୍ୟତାରେ ନମ୍ବର ୱାନ୍ ହେବ ଭାରତ । ୨-୦ରେ ଶୃଙ୍ଖଳା କବଜା କରିବା ପରେ ଭାରତର ଆତ୍ମବିଶ୍ୱାସ ଉଚ୍ଚରେ ରହିଛି ।

ଓପନର ଶୁବମନ ଗିଲ ହାଇଦ୍ରାବଦରେ ମାଷ୍ଟରକ୍ଲାସ ବ୍ୟାଟିଂ କରିବା ସହ ସିମରଙ୍କୁ ସହାୟତା କରୁଥିବା ରାୟପୁର ପିଚରେ ବି ଚମତ୍କାର ଖେଳି ଦଳକୁ ଶଂଖଳା ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇ ଦିନିକିଆରେ ଭଲ ରନ୍ କରିଥିଲେ । ତୃତୀୟ ଦିନିକିଆ ମ୍ୟାଚରେ ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦକଙ୍କୁ ବ୍ୟାଟିଂ ଅଭ୍ୟାସ ଲାଗି ସୁଯୋଗ ମିଳିପାରେ ।

ପ୍ରଥମ ଦୁଇ ମ୍ୟାଚ୍‌ରେ ବାମହାତୀ ସ୍ପିନ୍‌ ବିପକ୍ଷରେ ଖେଳିବା ବିରାଟ କୋହଲି ଅସୁବିଧାରେ ପଡ଼ୁଥିବା ଦେଖାଦେଇଛି । ୪ଟି ପାଳିରେ ୩ ଶତକ ଅର୍ଜନ କରିଥିବା କୋହଲି କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ରେ ମିଚେଲ ସାଣ୍ଟନରଙ୍କ ଦ୍ବାରା ଆଉଟ ହୋଇଥିଲେ । ବିଶ୍ବକପ୍‌ ଆଉ କିଛି ମାସ ଥିଲା ବେଳେ କୋହଲିଙ୍କୁ ଏହି ଭୁଲ୍‌ ସୁଧାରିବାକୁ ପଡ଼ିବ । ଶ୍ରେୟସ ଆୟରଙ୍କ ଅନୁପସ୍ଥିତରେ ସୂର୍ଯ୍ୟକୁମାରଙ୍କଠୁ ବଡ଼ ପାଳି ଆଶା ରଖିଛି ଦଳ । ତେବେ ଟ୍ବେଣ୍ଟି-୨୦ ବ୍ୟାଟର୍‌ ହାର୍ଦିକ ଶ୍ରୀଲଙ୍କା କିମ୍ବା ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ବ୍ୟାଟ୍‌ରେ କମାଲ୍‌ ଦେଖାଇ ପାରିନାହାନ୍ତି ।

ଆଗକୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳା ଥିବାରୁ ଆୟରଙ୍କ ସ୍ଥାନରେ ସ୍ଥାନ ପାଇଥିବା ରଜତ ପଟିଦାରଙ୍କୁ ପଦାର୍ପଣ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି । ଘରୋଇ ପ୍ରତ‌ିଯୋଗିତା ଏବଂ ଆଇପିଏଲ୍‌ରେ ପଟିଦାରଙ୍କ ପ୍ରଦର୍ଶନ ଚମତ୍କାର ରହିଥିବାରୁ ଏହି ଆଶା ଦେଖାଦେଇଛି । ବୋଲିଂରେ କିଛି ଅଦଳବଦଳ ହୋଇପାରେ । ଦ୍ରୁତବୋଲର ଉମ୍ରାନ ମଲ୍ଲିକ ଫେରିପାରନ୍ତି କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଝବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ସମ୍ଭାବ୍ୟ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଈଶାନ କିଶନ, ୱାସିଂଟନ ସୁନ୍ଦର, ମହମ୍ମଦ ସାମି, ଶାର୍ଦୁଳ ଠାକୁର/ଉମ୍ରାନ ମଲ୍ଲିକ, ମହମ୍ମଦ ସିରାଜ, କୁଲଦୀପ ଯାଦବ/ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ : ଫିନ୍‌ ଆଲେନ, ଡେଭନ କନୱେ, ହେନରି ନିକଲ୍ସ, ଡାରିଲ ମିଚେଲ, ଟମ ଲଥାମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର, ହେନରି ସିପ୍‌ଲେ, ଲୋକି ଫର୍ଗୁସନ, ବ୍ଲେୟର ଟିକନର।