ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ : ଭାରତ ପାଇଁ କର ବା ମର ସ୍ଥିତି; ମ୍ୟାଚ ଜିିତି ସିରିଜକୁ ଫେରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

137

କନକ ବ୍ୟୁରୋ : ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ଜିତିସାରିଥିବାରୁ ଏହି ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ଆଜି ଲକ୍ଷ୍ନୌରେ ଖେଳାଯିବାକୁ ଥିବା ମ୍ୟାଚରେ ଟିମରେ ଜଣେ ଅବା ଦୁଇ ଜଣ ନୂଆ ଖେଳାଳୀଙ୍କୁ ସୁଯୋଗ ଦିଆଯାଇପାରେ ବୋଲି କୁହାଯାଉଛି । ରାତି ୭ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ଜିତି ସରିଜକୁ ଫେରିବାକୁ ଚେଷ୍ଟା କରିବ ଘରୋଇ ଦଳ ।

ସେପଟେ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷରେ ରହିଛି ଭ୍ରମଣକାରୀ ଦଳ । ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡର ସ୍ପିନରଙ୍କୁ ଖେଳିବାର ଭାରତର ବ୍ୟାଟରମାନେ ବିଫଳ ହୋଇଥିଲେ । ତେଣୁ ଏଥର ସ୍ପନରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ବନାଇଛି ଭାରତ । ଟପ୍ ଅର୍ଡର ବ୍ୟାଟର ଗତ ମ୍ୟାଚରେ ଖରାପ ପଦର୍ଶନ କରିଥିବାରୁ ଏହି ମ୍ୟାଚରେ ଭଲ ପଦର୍ଶନ କରିବେ ବୋଲି ଆଶାବାଦୀ ଅଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତ ୨୧ ରନ୍‌ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତର ବୋଲିଂ ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ବିଶେଷ କରି ଅର୍ଶଦୀପ ସିଂହ ଓ ଉମ୍ରାନ ମଲ୍ଲିକ ମହଙ୍ଗା ହୋଇ ଭାରତ ପରାଜୟର ଅନ୍ୟତମ ବଡ଼ କାରଣ ପାଲଟିଥିଲେ । ଶେଷ ଓଭରରେ ଅର୍ଶଦୀପ ୨୭ ରନ୍‌ ବ୍ୟୟ କରିବାରୁ ଏହା ଭାରତୀୟ ବ୍ୟାଟରଙ୍କୁ ଅତିରିକ୍ତ ଚାପ ଦେଇଥିଲା। ସେହିପରି ଶୀର୍ଷ ୩ ଭାରତୀୟ ବ୍ୟାଟର ମାତ୍ର ୧୫ ରନ୍‌ ଭିତରେ ଆଉଟ୍‌ ହେବାରୁ ଦଳ ପ୍ରଥମରୁ ଚାପରେ ଖେଳିଥିଲା । ଯେଉଁଥିପାଇଁ ଘରୋଇ ଦଳ ଓଭର ଶେଷ ବେଳକୁ ୧୫୫/୯ କରିପାରିଥିଲା । ଆରମ୍ଭରୁ ମଧ୍ୟ ଭାରତ ୧୫୦ ରନ୍‌କୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ବୋଲରଙ୍କ ବ୍ୟୟବହୁଳ ସ୍ପେଲ୍‌ ସବୁ ଆଶାରେ ପାଣି ମଡ଼ାଇ ଦେଇଥିଲା । ତେଣୁ ଦ୍ବିତୀୟ ମ୍ୟାଚ୍‌ରେ ଅର୍ଶଦୀପଙ୍କ ସ୍ଥାନରେ ନବାଗତ ମୁକେଶ କୁମାରଙ୍କୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କିଛିଟା ପରୀକ୍ଷା କରିପାରନ୍ତି ।

ସମ୍ଭାବ୍ୟ ଭାରତ ୧୧ : ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଦା, ୱାସିଂଟନ୍‌ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ୧୧ : ଫିନ୍‌ ଆଲେନ୍‌, ଡେଭନ୍‌ କନୱେ, ମାର୍କ ଚାପମାନ୍‌, ଡାରିଲ୍‌ ମିଚେଲ୍‌, ଗ୍ଲେନ୍‌ ଫିଲିପ୍ସ, ମିଚେଲ୍‌ ସାଣ୍ଟନର, ମାଇକେଲ୍‌ ବ୍ରେସ୍‌ୱେଲ୍‌, ଜାକୋବ ଡଫି, ଈଶ୍‌ ସୋଢି, ଲୋକି ଫର୍ଗୁସନ୍‌, ବ୍ଲେୟର ଟିକନର।