କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଭାରତର କମାଲ୍ । ରୋମାଞ୍ଚକର ମ୍ୟାଚରେ ସ୍ପେନକୁ ହରାଇ ଦେଇଛି ଭାରତ । ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ମ୍ୟାଚ ବରାବର ରହିଥିଲା । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ପରେ ମ୍ୟାଚକୁ ବରାଚର ସ୍ଥିତିକୁ ଆଣିଥିଲା ସ୍ପେନ । ଫଳରେ ସୁଟ୍ ଆଉଟ୍ କୁ ଯାଇଥିଲା ମ୍ୟାଚ୍ ।

Advertisment

ସୁଟ ଆଉଟରେ ଭାରତ ଭଲ ପ୍ରଦର୍ଶନ କରିବା ସହ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା । ଘରୋଇ ମାଟିରେ ସ୍ପେନକୁ ହରାଇବା ସହ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ହୋଇଛି । ଏହି ମ୍ୟାଚରେ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲେ ଗୋଲ କିପର ବାହାଦୂର କ୍ରିଷନ୍ ପାଠକ । ସୁଟ-ଆଉଟରେ ୩ଟି ଗୋଲ ଅଟକାଇ ଟିମକୁ ବିଜୟୀ କରିଥିଲେ ।

ଆରମ୍ଭରୁ ଦୁଇ ଦଳ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ନବମ ମିନିଟ୍‌ରେ ଭାରତ ‌ପ୍ରଥମ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ହେଲେ ଏହାକୁ ଗୋଲ୍‌ରେ ପରିଣତ କରିପାରିନଥିଲା । ଦ୍ବାଦଶ ମିନିଟ୍‌ରେ ଆଉ ଏକ ପେନାଲ୍‌ଟି ପାଇଥିଲା ଘରୋଇ ଦଳ । ଏହାକୁ ଅଧିନାୟକ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ଭାରତକୁ ୧-୦‌ରେ ଅଗ୍ରଣୀ ଦେଇଥିଲେ । ଫଳରେ ଭାରତ ପକ୍ଷରେ ପ୍ରଥମ କ୍ବାର୍ଟର ରହିଥିଲା । ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା ।

ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥଲେ । ୧୭ତମ ମିନିଟ୍‌ରେ ଭାରତ ମ୍ୟାଚ୍‌ର ତୃତୀୟ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ ଦେଇପାରିନଥିଲା । ୨୩ତମ ମିନିଟ୍‌ରେ ଫାଉଲ ମାରି ମନ୍‌ପ୍ରୀତ ସିଂହ ଗ୍ରିନ୍‌ କାର୍ଡ ପାଇଥିଲେ। ଫଳରେ ଭାରତ ୧୦ ଜଣଙ୍କୁ ନେଇ ପରବର୍ତ୍ତୀ ୨ ମିନିଟ୍‌ ଖେଳିଥିଲା । ହେଲେ ଏହାର ଫାଇଦା ସ୍ପେନ୍‌କୁ ଉଠାଇ ପାରିନଥିଲା । ପେନାଲ୍‌ଟି କର୍ଣ୍ଣରକୁ ମଧ୍ୟ‌ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା ।