ଆଜି ଭାରତ ଇଂଲଣ୍ଡ ତୃତୀୟ ଟି-୨୦ : ମ୍ୟାଚ ଜିତି ସିରିଜ ଅଗ୍ରଣୀ ଲକ୍ଷ୍ୟ ହାସଲରେ ରହିବ ଟିମ୍ ଇଣ୍ଡିଆ

ସେପଟେ ବିନା ଦର୍ଶକରେ ମ୍ୟାଚ କରାଇବାକୁ ବିସିସିଆଇର ନିଷ୍ପତ୍ତି

306

କନକ ବ୍ୟୁରୋ : ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ମ୍ୟାଚ ଜିତି ସିରିଜ ଅଗ୍ରଣୀ ଲକ୍ଷ୍ୟ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଆଉ ଏକ ରୋମାଂଚକ ମ୍ୟାଚ ହେବା ଆଶା କରାଯାଉଛି । ସିରିଜ ଆରମ୍ଭରୁ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଥିବା ଟିମ୍ ଇଣ୍ଡିଆ ଆଜି ମଧ୍ୟ ଯୁବ ଖେଳାଳଳିଙ୍କୁ ପ୍ରାଥମିକତା ଦେବ । ତେଣୁ ଇଶାନ କିଷନ ଓ ସୂର୍ଯ୍ୟ କୁମାର ଯାଦବ ଏକାଦଶ ସ୍ଥାନ ବଜାୟ ରଖିବେ । କିଷନ ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ସେହିପରି ରିଶଭ ପନ୍ତଙ୍କୁ ପୂର୍ବ ମ୍ୟାଚ ଭଳି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବ । ଭାରତ ବିସ୍ପୋରକ ବ୍ୟାଟିଂକୁ ପ୍ରାଥମିକତା ଦେବ ବୋଲି ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ସ୍ପଷ୍ଟ କରିଦେଇଥିଲେ । ତେଣୁ ଫର୍ମରେ ଥିବା ପନ୍ତଙ୍କ ଉପର ଭାଗରେ ବ୍ୟାଟିଂ କରାଇବା ଯୋଜନା ଜାରି ରହିବ । ସେପଟେ ଇଂଲଣ୍ଡ ଦଳ ସରିଜ ଫେରିବାକୁ ସବୁ ଶକ୍ତି ଖଟାଇବ । ଜୋସ ବଟଲର, ଜାସନ ରୟ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ, ଓ ଦାୱିଦ ମଲାନଙ୍କ ଭଳି ବିସ୍ପୋରକ ବ୍ୟାଟ୍ସମ୍ୟାନ ଦଳରେ ରହିଛନ୍ତି । ତେଣୁ ଦର୍ଶକଙ୍କୁ ପ୍ରଥମ ବଲରୁ ଚୌକା ଛକା ଦେଖିବାକୁ ମିଳିବ ।

ପୁଣି ବିନା ଦର୍ଶକରେ ହେବ କ୍ରିକେଟ୍ ମ୍ୟାଚ୍ । ଅହମ୍ମଦାବାଦରେ ବାକି ଥିବା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । ଅର୍ଥାତ୍ ଅବଶିଷ୍ଟ ୩ଟି ମ୍ୟାଚରେ ଦର୍ଶକ ରହିବେ ନାହିଁ । ଏହି ସୂଚନା ଦେଇଛି ଗୁଜରାଟ କ୍ରିକେଟ ଆସୋସିଏସନ୍ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଖେଳ ଦେଖିବା ପାଇଁ ଟିକେଟ୍ କରିଛନ୍ତି, ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି କହିଛି ଗୁଜରାଟ କ୍ରିକେଟ୍ ଆସୋସିଏସନ । ଯେଉଁମାନେ କମ୍ପ୍ଲିମେଂଟାରୀ ଟିକେଟ ପାଇଛନ୍ତି, ସେମାନଙ୍କୁ ଷ୍ଟାଡିୟମକୁ ନଯିବା ପାଇଁ ନିବେଦନ କରାଯାଇଛି । ପ୍ରଥମ ଦୁଇଟି ଟି-୨୦ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ୬୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ ।