ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ : ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ରୋହିତ ବାହିନୀର ମନୋବଳ ଦୃଢ଼

276

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ । ଏଯାଏଁ ଚଳିତ ବିଶ୍ୱକପରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚ୍ ଜିତି ସାରିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ବିରୋଧରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଥିଲା । ବୋଲିଂ, ବ୍ୟାଟିଂ ଓ ଫିଲ୍ଡରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆ ନିଜର ଏହି ଚମତ୍କାର ଫର୍ମକୁ ଜାରି ରଖିବାକୁ ଭରପୁର ପ୍ରୟାସ କରିବ । ସେପଟେ ବାଂଲାଦେଶ ମଧ୍ୟ ଟକ୍କର ଦେବାକୁ ସବୁ ପ୍ରକାର ଚେଷ୍ଟା କରିବ । ଚଳିତ ବିଶ୍ୱକପରେ ୨ଟି ବିପର୍ଯ୍ୟୟ ହୋଇସାରିଛି । ଇଂଲଣ୍ଡକୁ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ପରାସ୍ତ କରିସାରିଛି । ତେଣୁ କୌଣସି ଦଳକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ । ପୁନେରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।

ବିଶ୍ବକପ୍‌ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍‌ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି । ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣ ୨୦୧୧, ୨୦୧୫, ୨୦୧୯ରେ ପରାଜୟ ବରଣ କରିଥିଲା । ସବୁଠାରୁ ବଡ଼ ଉଲ୍ଲେଖନୀୟ କଥା ହେଉଛି ସାମ୍ପ୍ରତିକ ମୁକାବିଲାଗୁଡ଼ିକରେ ବାଂଲାଦେଶ ଠିକ୍ ଓଲଟା ସ୍ଥିତିରେ ରହିଛି । ବିଗତ ୧୨ ମାସ ଭିତରେ ଖେଳାଯାଇଥିବା ୪ ମୁକାବିଲାରୁ ବାଂଲାଦେଶ ୩ଟି ଜିତିଥିବାରୁ ଏଥିରୁ ନିଶ୍ଚିତ ଖିଅ ଖୋଜିବାକୁ ଚେଷ୍ଟା କରିବ। ଏହି ୩ ପରାଜୟ ଆସିଥିଲା ଏସିଆ କପ୍‌ ୧ ଏବଂ ୨୦୨୨ ଡିସେମ୍ବରର ଦ୍ବିପାକ୍ଷିକ ଶୃଙ୍ଖଳା ୨ରେ । ତେବେ ଦାବିଦାର ଦଳକୁ ପରାସ୍ତ କରିବା ଲାଗି ଆଫଗାନିସ୍ତାନ ଓ ନେଦରଲାଣ୍ଡ୍‌ସ ସାହାସ ଯୋଗାଇଛନ୍ତି ।