ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା : ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଦଳର ମଙ୍ଗ

128

କନକ ବ୍ୟୁରୋ : ଟେଷ୍ଟ ସିରିଜ ପରେ ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ ବିଶିଷ୍ଟ ଏହି ସରିଜ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରିବ । କାରଣ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହା ପୂର୍ବରୁ ଏହି ଦୁଇ ଦଳର ଏହା ହେଉଛି ଶେଷ ଦିନିକିଆ ସିରିଜ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁୁ ଥିବା ପ୍ରଥମ ମ୍ୟାଚରେ ଭାରତ କେଉଁ ବ୍ୟାଟରଙ୍କୁ ଖେଳାଇବ, ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଫର୍ମରେ ନଥିବା କେ.ଏଲ ରାହୁଲଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ରାହୁଲଙ୍କୁ ଶେଷ ଥର ପାଇଁ ଏହି ସିରିଜରେ ସୁଯୋଗ ଦେବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଫର୍ମରେ ନଥିଲେ ମଧ୍ୟ କୌଣସି ୱିକେଟ୍ କିପର ନଥିବାରୁ ରାହୁଲଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଉଛି । ରିଷବ ପନ୍ତ ଆହତ ହୋଇଥିବାରୁ ରାହୁଲଙ୍କ ତୁଳନାରେ ଭଲ ୱିକେଟ କିପର କେହି ନାହାଁନ୍ତି ।

ଶ୍ରେୟସ ଆୟର ଆହତ ଥିବାରୁ ସୂର୍ଯ୍ୟକୁମାର ଯାବଦ ଖେଳିବା ଏକପ୍ରକାର ନିଶ୍ଚିତ । ଏପଟେ ଓପନର ଭାବେ ରୋହିତ ନଖେଳୁଥିବାରୁ ଇଶାନ କିଷନ ଏବଂ ଫର୍ମରେ ଥିବା ଶୁଭମନ ଗିଲଙ୍କୁୁ ଓପନିଙ୍ଗ୍ କରିବାକୁ ସୁଯୋଗ ମଳିପାରେ । ହାର୍ଦିକ ପାଣ୍ଡା ଅଧିନାୟକ ଦାୟୀତ୍ୱ ତୁଲାଇବେ । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତିତ ୱାସିଂଟନ ସୁନ୍ଦର ଏବଂ ଜାଡେଜା ୧୧ ଜଣିଆ ଦଳରେ ସାମିଲ ହୋଇପାରନ୍ତି । ସେପଟେ ଅଷ୍ଟ୍ରେଲିଆ ପୂରା ଦମରେ ମଇଦାନରେ ଓହ୍ଲାଇବ ।