ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର । ବିଜୟଠାରୁ ୧ ୱିକେଟ୍ ଦୂରରେ ରହିଗଲା ଟିମ୍ ଇଣ୍ଡିଆ ।

120

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର । କାନପୁରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପଞ୍ଚମ ଦିନରେ ମଧ୍ୟ କୌଣସି ଫଳାଫଳ ବାହାରିପାରିନି । ଫଳରେ ବିନା କୌଣସି ଫଳାଫଳରେ ଶେଷ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ତେବେ ଆଜି ବିଜୟଠୁ କେବଳ ୧ ୱିକେଟ ଦୂରରେ ରହିଯାଇଥିଲା ଟିମ୍ ଇଣ୍ଡିଆ ।

ଟସ୍ ଜିତି ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ରାହାଣେ ବାହିନୀ । ତେବେ ଦଳକୁ କିନ୍ତୁ ସେତେ ଭଲ ଆରମ୍ଭ ମିଳିନଥିଲା । ଦଳର ଓପନର ଶୁଭମନ୍ ଗିଲ ଏହି ଇଂନିସରେ ଅର୍ଦ୍ଧଶତକ ଅର୍ଜନ କରିବା ସହିତ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତେବେ ଟେଷ୍ଟ ଡେବ୍ୟୁ କରିଥିବା ଶ୍ରେୟାସ ଆୟାର ଏହି ଇଂନିସରେ ଦମଦାର ଖେଳ ଖେଳିବା ସହିତ ୧୦୫ ରନ ସଂଗ୍ରହ କରିଥିଲେ । ଯାହା ଫଳରେ ଭାରତର ସ୍କୋର ପ୍ରଥମ ଇଂନିସରେ ୩୪୫ ରହିଥିଲା ।

ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଲାଥମ୍ ଓ ୟଙ୍ଗ ୧୫୧ ରନର ପାର୍ଟନରସିପ୍ ତିଆରି କରିଥିଲେ । ଏହାପରେ ପ୍ରଥମ ଇଂନିସରେ ଦଳ ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ୨୯୬ ରନ୍ ସଂଗ୍ରହ କରିପାରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୫ ୱିକେଟ ସଫଳତା ପାଇଥିବାବେଳେ, ଅଶ୍ୱିନୀ ୩ ଓ ଉମେଶଙ୍କୁ ୧ଟି ୱିକେଟ୍ ମିଳିଥିଲା ।

ଏହାପରେ ଦ୍ୱିତୀୟ ଇଂନିସରେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର ଖରାପ ବ୍ୟାଟିଂ କରିଥିଲେ । ଦଳ କେବଳ ୫୧ ରନରେ ନିଜର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା । ହେଲେ ଶେଷ ଆଡକୁ ଆୟର, ଅଶ୍ୱିନୀ ଓ ଶାହ ଜବରଦସ୍ତ ଇଂନିସ ଖେଳିବା ସହିତ ଦଳର ସ୍କୋର ୨୩୪ ରନରେ ପହଞ୍ଚିଥିଲା । ଏହାପରେ ୨୮୪ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ଦଳ ଭଲ ଆରମ୍ଭ ମଧ୍ୟ କରିଥିଲା । ହେଲେ ଭାରତୀୟ ବୋଲିଂ ବାହିନୀ ଶେଷ ଦିନରେ ଜବରଦସ୍ତ କ୍ରିକେଟ୍ ଖେଳିବା ସହିତ ନ୍ୟୁଜିଲାଣ୍ଡକୁ ବ୍ୟାକଫୁଟକୁ ଠେଲିଦେଇଥିଲେ ।

ଦ୍ୱିତୀୟ ଇଂନିସରେ ରବୀନ୍ଦ୍ର ଜାଡେଜା ୪ଟି ସଫଳତା ପାଇଥିବାବେଳେ ଅଶ୍ୱିନୀଙ୍କୁ ୩ଟି ଓ ଅକ୍ଷର, ଉମେଶଙ୍କ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ପଞ୍ଚମ ଦିନ ଶେଷ ବେଳକୁ ନ୍ୟୁଜିଲାଣ୍ଡ ୯ ୱିକେଟ ହରାଇ ୧୬୫ ରନ କରିପାରିଥିଲା । ଆଉ ଭାରତ ବିଜୟଠୁ କେବଳ ୧ ୱିକେଟ ପଛରେ ରହିଯାଇଥିଲା ।