ବାୟୋ ବବଲକୁ ଭେଦ କରି ଟିମ୍ ଇଣ୍ଡିଆରେ କେମିତି ପଶିଲା କରୋନା ?

217

କନକ ବ୍ୟୁରୋ: ସଂକ୍ରମଣ ହେତୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଥମିନାହିଁ । କେମିତି ଦଳର ସଦସ୍ୟ ସଂକ୍ରମିତ ହେଲେ? ତାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । ହେଲେ ଏହାରି ଭିତରେ ଏପରି ଏକ ଖବର ଆସିଛି, ଯାହା ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀଙ୍କୁ ଅସୁବିଧାରେ ପକାଇପାରେ ।

ଟିମ୍ ଇଣ୍ଡିଆର ସଦସ୍ୟ କରୋନା ପଜିଟିଭ୍ ହେବା ପଛରେ କୋଚ୍ ରବି ଶାସ୍ତ୍ରୀଙ୍କ ପରୋକ୍ଷ ହାତ ଥିବା ଏବେ ସୂଚନା ମିଳୁଛି । କାହିଁକି ନା,  ରବି ଶାସ୍ତ୍ରୀ ବିସିସିଆଇର ବିନା ଅନୁମତିରେ ଲଣ୍ଡନରେ ଏକ ବହିର ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ । ଯେଉଁଠି ଅନେକ ସାଧାରଣ ଲୋକ ମଧ୍ୟ ଭାଗ ନେଇଥିଲେ । ଏହି ଉତ୍ସବରେ ଭାଗ ନେବା ପରେ ହିଁ କିଛି ଟିମ୍ ଇଣ୍ଡିଆ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଟିମ୍ ଇଣ୍ଡିଆରେ ଏହି ସଂକ୍ରମଣ ପଛରେ କୋଚ୍ ରବି ଶାସ୍ତ୍ରୀଙ୍କ ପରୋକ୍ଷ ହାତ ଥିବା କୁହାଯାଉଛି ।ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନର ଏକ ଫାଇଭ୍ ଷ୍ଟାର ହୋଟେଲରେ ଏକ ବହିର ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଯୋଗ ଦେଇଥିଲେ । ତା ସହିତ ଅଧିନାୟକ କୋହଲିଙ୍କ ସମେତ କିଛି ଖେଳାଳି ମଧ୍ୟ ଏହି ଉତ୍ସବକୁ ଯାଇଥିଲେ । ଯାହା ପରେ ଟିମରେ ସଂକ୍ରମଣ ବ୍ୟାପିଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହି ଉତ୍ସବରେ ଭାଗ ନେବାକୁ କୋଚ୍ ରବି ଶାସ୍ତ୍ରୀ ବିସିସିଆଇଠାରୁ କୌଣସି ବିଧିବଦ୍ଧ ଅନୁମତି ନେଇନଥିଲେ । ଯାହା ଆଗକୁ ତାଙ୍କୁ ଅସୁବିଧାରେ ପକାଇପାରେ ବୋଲି କୁହାଯାଉଛି ।

ନ୍ୟୁଜ୍ ଏଜେନ୍ସି ପିଟିିଆଇର ସୂଚନା ମୁତାବକ, ଏହି ସମାରୋହରେ ଅନେକ ସାଧାରଣ ଲୋକ ମଧ୍ୟ ଯୋଗ ଦେଇଥିଲେ । ଇଂଲଣ୍ଡରେ କୋଭିଡ୍ ନିୟମ କୋହଳ ହୋଇଥିବା ହେତୁ ସେଠାରେ କେହି ବି ମାସ୍କ ପିନ୍ଧିନଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ବିସିସିଆଇଠୁ ଆବଶ୍ୟକ ଅନୁମତି ଟିମ୍ ଇଣ୍ଡିଆର ସଦସ୍ୟଙ୍କ ପାଖରେ ନଥିଲା । ଯାହା ଏବେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ଅସୁବିଧାରେ ପକାଇପାରେ ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ସମୟରେ ରିଷଭ ପନ୍ତ ପଜିଟିଭ୍ ହେବା ପରେ ବୋର୍ଡ ଦଳର ଖେଳାଳିମାନଙ୍କୁ ସତର୍କ କରାଇଥିଲା । ଭିଡଠୁ ଦୂରରେ ରହିବାକୁ ବୋର୍ଡ ଖେଳାଳିମାନଙ୍କୁ ସୂଚାଇ ଦେଇଥିଲା । ହେଲେ ଏହାସତ୍ତେ୍ୱ ମଧ୍ୟ ଏହି ବହି ଉନ୍ମୋଚନ ଉତ୍ସବରେ ଦଳର ଖେଳାଳିଙ୍କ ଯୋଗଦାନ ଦଳର ଅନ୍ୟ ଖେଳାଳିଙ୍କୁ ବିପଦରେ ପକାଇଛି ।