ଓଡିଶାର ସ୍ମାର୍ଟ କ୍ଲାସ୍ । ଷ୍ଟୁଡିଓରେ ଶିକ୍ଷକ, ଅଡିଓ ଭିଡିଓ ଜରିଆରେ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ପାଠ ।

231

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସବୁ ଦିଆଯାଉଛି ମାଗଣା । ବହି, ଡ୍ରେସ, ଖାଦ୍ୟ ଓ ସାଇକେଲ ସବୁକିଛି । ହେଲେ ଦିଆଯାଇ ପାରୁନାହିଁ ଗୁଣାତ୍ମକ ଶିକ୍ଷା । ଆଉ ଏହାର ମୁଖ୍ୟ କାରଣ ହେଉଛି ବିଦ୍ୟାଳୟମାନଙ୍କରେ ଶିକ୍ଷକଙ୍କ ଘୋର ଅଭାବ । ସରକାରୀ ସ୍କୁଲରେ ଶିକ୍ଷାର ମାନ ଉନ୍ନତ ନଥିବାରୁ ଘରୋଇ ସ୍କୁଲ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ହେଲେ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛି ସୁନ୍ଦରଗଡ ଶିକ୍ଷା ବିଭାଗ । ଆଉ ଏଥିପାଇଁ ସହଯୋଗର ହାତ ବଢାଇଛି ଜିଲ୍ଲା ପ୍ରଶାସନ ।

ପ୍ରୋଜକ୍ଟରରେ ପାଠପଢା । ଓଡିଶାର ଡିଜିଟାଲ କ୍ଲାସ ରୁମ୍ । ଏ ଦୃଶ୍ୟ ହେଉଛି ସୁନ୍ଦରଗଡ ଭାବାନୀଶଙ୍କର ଉଚ୍ଚ ବିଦ୍ୟାଳୟ ଶ୍ରେଣୀଗୃହର । ଶିକ୍ଷକ ଓ ଛାତ୍ରଛାତ୍ରୀ ସମସ୍ତେ ଚୁପଚାପ୍ ବସି ଟିଭିକୁ ଚାହିଁଛନ୍ତି । ପିଲାମାନେ ଟିଭି ପରଦାକୁ ଦେଖି ଖାତାରେ କ’ଣ ସବୁ ଲେଖୁଛନ୍ତି । ଚାଲିଛି ଅଡିଓ-ଭିଡିଓ ଜରିଆରେ ପାଠପଢା । ସରକାରୀ ସ୍କୁଲରେ ଶିକ୍ଷାର ମାନ ବଢାଇବା ଉଦ୍ଦେଶ୍ୟରେ ଭରଚୁଆଲ କ୍ଲାସ୍ ରୁମ୍ ପ୍ରୋଗ୍ରାମ ମାଧ୍ୟମରେ ଷ୍ଟୁଡିଓରେ ରହି ଏମିତି ପାଠ ପଢାଉଛନ୍ତି ଶିକ୍ଷକ । ପିଲାଙ୍କ ପ୍ରଶ୍ନର ମଧ୍ୟ ଉତ୍ତର ଦେଉଛନ୍ତି ଶିକ୍ଷକ । ସୁନ୍ଦରଗଡର କେବଳ ଭବାନୀଶଙ୍କର ସ୍କୁଲ ନୁହେଁ ଏମିତି ୭୦ଟି ସ୍କୁଲରେ ଶିକ୍ଷାଦାନ ଚାଲିଛି ।

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ଜରିଆରେ ଶିକ୍ଷାଦାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ତତ୍କାଳୀନ ଜିଲ୍ଲପାଳ ସୁରେନ୍ଦ୍ର କୁମାର ମୀନା । ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠା ବା ଡିଏମଏଫ୍ ପାଣ୍ଠିରୁ ପ୍ରାୟ ୨୦ କୋଟି ଖର୍ଚ୍ଚ କରାଯାଇଥିଲା । ଯାହା ଆଜି ବାସ୍ତବ ରୂପ ନେଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାର ମୋଟ୍ ୭୦ଟି ବିଦ୍ୟାଳୟରେ ଅଡିଓ-ଭିଡିଓ କ୍ଲାସ ଚାଲିଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ଷ୍ଟୁଡିଓରୁ ଲାଇଭ ପାଠପଢା ହେଉଛି । ଆଗକୁ ଆହୁରି ଅଧିକ ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ ଶିକ୍ଷକ ଅଭାବକୁ ଦୂର କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ ଶିକ୍ଷା ବିଭାଗ । ଆଉ ଏଥିପାଇଁ ସହଯୋଗ କରୁଛନ୍ତି ଜିଲ୍ଲା ପ୍ରଶାସନ । ହେଲେ ପ୍ରଶ୍ନ ଉଠୁଛି ଶିକ୍ଷା ବିଭାଗର ଏ ପଦକ୍ଷେପ ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି କରିବ ତ? ଛାତ୍ରଛାତ୍ରୀଙ୍କ ପାସ ହାର ବୃଦ୍ଧି କରିବ ତ? ଶିକ୍ଷକଙ୍କ ଅଭାବ ପୂରଣ କରିବାରେ ସକ୍ଷମ ହେବ ତ ?