କମନୱେଲଥ୍ ଗେମ୍ସରେ ଭାରତୀୟଙ୍କ କମାଲ । ଜଣେ ପାନଦୋକାନୀଙ୍କ ପୁଅ,ଅନ୍ୟଜଣେ ଡ୍ରାଇଭରଙ୍କ ପୁଅ

39

କନକ ବ୍ୟୁରୋ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ତ୍ରିରଙ୍ଗା ଉଡାଇଛନ୍ତି ଭାରତୀୟ । ଭାରତ୍ତୋଳନରେ ଦେଶକୁ ମିଳିଛି ଲଗାତାର ୪ଟି ପଦକ । ମୀରାବାଈ ଚାନୁ, ବିନ୍ଧ୍ୟାରାଣଙ୍କ ପରେ ରେକର୍ଡ କରିଛନ୍ତି ସଙ୍କେତ ସର୍ଗର, ଗୁରୁରାଜା ପୂଜାରୀ । ଏ ସମସ୍ତଙ୍କ  ସଫଳତାର କାହାଣୀ ଅତି ମର୍ମସ୍ପର୍ଶୀ । ଏମାନଙ୍କ ସଫଳତାର କାହାଣୀ ପ୍ରତିଟି ଭାରତୀୟ ପାଇଁ ଏକ ପ୍ରେରଣାର ସ୍ରୋତ ।

କେହି ନିପଟ ଗାଁର ଚାଷୀର ଝିଅ ତ କେହି ପାନ ଦୋକାନୀର ପୁଅ ତ ଆଉ କେହି ଡ୍ରାଇଭରର ପୁଅ । ଅତି ଜଟିଳ ପରିସ୍ଥିତିରୁ ପଡିଛି ଏମାନଙ୍କ ସଫଳତାର ମୂଳଦୂଆ । ଭାରୋତ୍ତଳନରେ ଭାରତକୁ କାଂସ୍ୟ ପଦକ ଦେଇଥିବା ଗୁୁରୁରାଜା ପୂଜାରୀଙ୍କ କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । ୨୦୦୮ ଅଲିମ୍ପିକ୍ସ ଗେମ୍ସରେ ଯେତେବେଳେ ସୁଶୀଳ କୁମାର କୁସ୍ତିରେ ମେଡାଲ ଜିତିଲେ ସେବେଠୁ କ୍ରୀଡାରେ ଭାଗ୍ୟ ପରୀକ୍ଷା କରିବାକୁ  ନିଷ୍ପତ୍ତି ନେଲେ ।  ଏବଂ ଆଖଡାଶାଳାରେ ଯୋଗଦେଲେ  । କିନ୍ତୁ ସେଠିକାର ପ୍ରଶିକ୍ଷକ ତାଙ୍କୁ କୁସ୍ତିରେ ନୁହେଁ ବରଂ ଭାରୋତ୍ତଳନକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଲେ ।

ହେଲେ ଏସବୁ ଏତେ ସହଜ ନଥିଲା କର୍ଣ୍ଣାଟକ କୁଣ୍ଡୁପାରାରେ ରହୁଥିବା ଗୁରୁରାଜାଙ୍କ ବାପା ଜଣେ ଟ୍ରକ ଡ୍ରାଇଭର । ଯେବେ ଗୁରୁରାଜା ୱେଟଲିଫ୍ଟିଙ୍ଗରେ କ୍ୟାରିଆର ଆରମ୍ଭ କଲେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ  । ଏପରି ଏକ ଖେଳରେ ଖାଦ୍ୟପେୟ ସହ ସପ୍ଲିମେଣ୍ଟ ନେବା ସବୁଠୁ ଜରୁରୀ ଥିବାବେଳେ  ଏଥିପାଇଁ ତାଙ୍କ ପାଖରେ ଅର୍ଥ ନଥିଲା । ହେଲେ ଏତିକିବେଳେ ସାହାସ ଦେଇଥିଲେ ତାଙ୍କ ବାପା । ଟ୍ରକ ଚଳାଇ ପରିବାର ପୋଷୁଥିବା ବାପା ପୁଅକୁ ସାହାସ ନହରାଇ ଆଗକୁ ବଢିବାକୁ କହିଥିଲେ ।ଅଧିକ ସମୟ ପରିଶ୍ରମ କରି ପୁଅ ପାଇଁ ଆବଶ୍ୟକ ଖାଦ୍ୟପେୟ ସହ ଉପକରଣ ସବୁ ଯୋଗାଇଥିଲେ ।

ବାସ୍ ବାପାଙ୍କର କେଇପଦ କଥା ତାଙ୍କୁ ଆଗକୁ ଆଗକୁ ନେଇଯାଇଥିଲା । ଭାରୋତ୍ତଳନରେ ନିଜର ପରିଚୟ ସୃଷ୍ଟି କରିବାକୁ ଆରମ୍ଭ କଲେ । ପ୍ରଥମେ ରାଜ୍ୟ ସ୍ତରୀୟ ତା ପରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କଲେ ଗୁରୁରାଜା ।

ଘରେ ପରିସ୍ଥିତି ଭଲ ନଥିବାରୁ ଚାକିରି କରିବା ତାଙ୍କ ପାଇଁ ନିହାତି ଜରୁରୀ ଥିଲା । ତେଣୁ ସେ ସେନାରେ ଯୋଗ ଦେବାକୁ ଚେଷ୍ଟା କଲେ । ହେଲେ ଉଚ୍ଚତା କମ ଯୋଗୁଁ ବିଫଳ ହେଲେ  । ହେଲେ ବାୟୁସେନାରେ ତାଙ୍କୁ ନିଯୁକ୍ତି ମିଳିଗଲା । କାରଣ ସ୍ଥଳସେନା ଠାରୁ ବାୟୁସେନାରେ ଉଚ୍ଚତା ବାବଦରେ ରିହାତି ରହିଛି ।

ଆଉ ଚାକିରିରୁ କିଛି ଅର୍ଥ ମିଳିବା ପରେ ଭାରୋତ୍ତଳନରେ ସମ୍ପୂର୍ଣ୍ଣ ମନୋନିବେଶ କଲେ । ତାଙ୍କର ଅଦମ୍ୟ ଚେଷ୍ଟା ଓ ଦଢମନୋବଳ ତାଙ୍କୁ ଆଜି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଦେଇଛି  । ୨୦୨୨ କମନୱେଲ୍ଥ ଗେମ୍ସରେ ୬୧ କେଜି କ୍ୟାଟାଗରୀରେ ଭାରତ ପାଇଁ ବ୍ରୋଞ୍ଚମେଡାଲ ଆଣି ଜାତୀୟ ଧ୍ୱଜା ଉଡାଇଛନ୍ତି ଗୁୁରୁରାଜା ।

ଆଉ ଏକ ବଡ କଥା ହେଉଛି ଗୁରୁରାଜା ବିବାହ କରିଥିଲେ ବି କ୍ରୀଡାରେ ନିଜର ଏକାଗ୍ରତା ରକ୍ଷା ପାଇଁ ପରିବାର ଓ ପତ୍ନୀଙ୍କ ଠାରୁ ୨୩ ମାସ ଦୂରେଇ ରହିଥିଲେ । ଏବେ ଯେତେବେଳେ ତାଙ୍କୁ କମନୱେଲ୍ଥରେ ତାଙ୍କୁ ପଦକ ମିଳିଛି ଏହାକୁ ସେ ପତ୍ନୀଙ୍କୁ ଡେଡିକେଟ୍ କରିଛନ୍ତି ।

ଏପରି ଏକ ତାଲିକାରେ ଯୋଡି ହୋଇ ଯାଇଛି ଆଉ ଜଣେ କ୍ରୀଡାବିତଙ୍କ ନାଁ । ସେ ହେଉଛନ୍ତି ସଙ୍କେତ ସର୍ଗର । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଯିଏ ଦେଶ ପାଇଁ ପ୍ରଥମ ପଦକ ଆଣିଛନ୍ତି । ପଦକ ଜିତିବା ପରେ ଏହି ୨୧ ବର୍ଷୀୟ ଯୁବକଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସଙ୍କେତ ଜଣେ ଚା’, ପାନ ଦୋକାନୀଙ୍କ ପୁଅ । ବାପା ଚଳାଉଥିବା ଦୋକାନରେ ମୁଗ ପକୋଡା ଓ ବଡ଼ା ପାଓ ବିକ୍ରି କରନ୍ତି । ନିଜ କ୍ରୀଡ଼ା ତାଲିମ ଓ କଲେଜ ପଢ଼ାରୁ ସମୟ କାଢ଼ି ସେ ମଧ୍ୟ ପିତାମାତାଙ୍କୁ ସହଯୋଗ କରନ୍ତି । ଶନିବାର ସଙ୍କେତ ତାଙ୍କ ୪ ବର୍ଷ ତଳର ସ୍ୱପ୍ନକୁ ସାକାର କରିବା ସହ ପରିବାର ପାଇଁ ଅପୂର୍ବ ଖୁସି ଓ ଗୌରବ ଆଣି ଦେଇଛନ୍ତି ।

ତେବେ ସଂଘର୍ଷ ବିନା ସଫଳତା ମିଳିବା ଯେ ଅସମ୍ଭବ ଏହାକୁ ପୁଣିଥରେ ପ୍ରମାଣ କରିଛନ୍ତି ଏହି କ୍ରୀଡାବିତ୍ ।