କନକ ବ୍ୟୁରୋ : ଦିନକୁ ଦିନ ମହାନଦୀକୁ କବ୍ଜା କରିଚାଲିଛନ୍ତି ସ୍ଥାନୀୟ ଲୋକେ । ମହନଦୀ ଜମିକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଫିଙ୍ଗାଯାଉଛି ଅଳିଆ । ଆଉ ଏହି ଅଳିଆ ଉପରେ ମାଟି ଫିଲିଂ କରି ଜବର ଦଖଲ କରାଯାଉଛି । କିଛି ଅସାଧୁ ବ୍ୟକ୍ତିଙ୍କ ଯୋଗୁ ସମ୍ବଲପୁରରେ ଦିନକୁ ଦିନ ପୋତି ହୋଇ ଚାଲିଛି ମହାନଦୀ । ଅଧିକ ଜାଗା ମାଡି ବସିବା ପାଇଁ ମାଟି ଫିଲିଂ ହେବା ପରେ ସେଠାରେ ଆରମ୍ଭ ହେଉଛି କନଷ୍ଟ୍ରକସନ କାମ । ତା ସହିତ ମହାନଦୀ ଓ ସଂଯୋଗ କରୁଥିବା ପ୍ରାକୃତିକ ନାଳ ଗୁଡିକ ଉପରେ ମଧ୍ୟ ଜବର ଦଖଲ କରାଯାଉଛି । ବିଭିନ୍ନ ସମୟରେ ଏହି ନୂଆ ନୂଆ ତରିକା ଆପଣାଇ ଅସାଧୁ ବ୍ୟକ୍ତି ଜାଗା ଦଖଲ କରି ଚାଲିଛନ୍ତି ।
ମହାନଦୀ ପାଖରେ ଜବର ଦଖଲ ଘଟଣାରେ ବହୁବାର ଅଭିଯୋଗ ହୋଇଛି । ହେଲେ କୌଣସି ସମାଧନା ନହେବାରୁ ପ୍ରଶାସନିକ ଉଦାସିନତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଜଳ ସମ୍ପଦ ବିଭାଗର ଅଧିକାରୀ ହୁଅନ୍ତୁ କି ସ୍ଥାନୀୟ ପ୍ରଶାସନର ଅଧିକାରୀ ନିୟମିତ ଚେକିଂ କରୁନଥିବାରୁ କିଛି ସ୍ବାର୍ଥନ୍ୟସ୍ତ ଲୋକେ ଜାଗା ମାଡି ବସୁଛନ୍ତି । ଯାହାଫଳରେ ନଦୀ ପୋତି ହେବାର ମୁଖ୍ୟ କାରଣ ପାଲଟିଛି ।
ଦିନକୁ ଦିନ ଜବର ଦଖଲ ବଢିଚାଲିଥିବା ବେଳେ ମହାନଦୀ ପୋତି ହୋଇଗଲାଣି । ଏବେଠାରୁ ଏହି ଘଟଣା ପ୍ରତି ଗୁରୁତ୍ବ ଦିଆନଗଲେ ନଦୀ ସମ୍ପୁର୍ଣ୍ଣ ପୋତି ହୋଇଯିବ ଏଥିରେ ସନ୍ଦେହ ନାହିଁ ।