ବଢ଼ୁଛି କରୋନା ବର୍ଜ୍ୟ : ସହରରୁ ଦୈନିକ ବାହାରୁଛି ୨୦ରୁ ୨୫ କୁଇଣ୍ଟାଲ; ସେପଟେ ସିପିସିବି ଗାଇଡ୍‌ଲାଇନ ପାଳନ ନେଇ ଉଠିଲା ପ୍ରଶ୍ନ; ଏଣେତେଣେ ପଡୁଛି କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ

Advertisment
ବଢ଼ୁଛି କରୋନା ବର୍ଜ୍ୟ : ସହରରୁ ଦୈନିକ ବାହାରୁଛି ୨୦ରୁ ୨୫ କୁଇଣ୍ଟାଲ; ସେପଟେ ସିପିସିବି ଗାଇଡ୍‌ଲାଇନ ପାଳନ ନେଇ ଉଠିଲା ପ୍ରଶ୍ନ; ଏଣେତେଣେ ପଡୁଛି କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଉପରମୁହାଁ ରହିଛି। ପ୍ରତିଦିନ ରାଜ୍ୟରେ ୨୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରୁ ବି ୩୦୦ରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ସମସ୍ତଙ୍କୁ ମେଡିକାଲ ପଠାଇବା ସମ୍ଭବପର ହେଉ ନଥିବାରୁ ରାଜଧାନୀରେ ୮୦୦ରୁ ଊର୍ଧ୍ବ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନେ ଏବେ ଚିନ୍ତା ବଢ଼ାଇଲେଣି। କାରଣ ସେମାନଙ୍କ ଦ୍ବାରା ବ୍ୟବହୃତ ମାସ୍କ, ଗ୍ଲୋଭସ, କିଟ୍‌, ମେଡିସିନ ଆଦି ଠିକ ଭାବେ ନଷ୍ଟ ହେଉ ନାହିଁ। ସାଧାରଣ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ବର୍ଜ୍ୟକୁ ନିଆଯାଉଥିବାରୁ ଆଗାମୀ ଦିନରେ ବର୍ଜ୍ୟବସ୍ତୁ ବିପଦ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି ।

ସବୁଠୁ ବଡ କଥା ହେଉଛି, ଏବେ ଭୁବନେଶ୍ୱରରୁ ଏବେ ଦିନକୁ ୨୦ରୁ ୨୫ କୁଇଣ୍ଟାଲ କରୋନା ବର୍ଜ୍ୟ ବାହାରୁଛି। ମାସକ ତଳେ ଏହି ସଂଖ୍ୟା ଯେତିକି ଥିଲା, ତାହା ଏବେ ବହୁ ପରିମାଣରେ ବଢ଼ିଛି। ସହରରେ କୋଭିଡ୍‌ କେନ୍ଦ୍ର ସଂଖ୍ୟା ବୃଦ୍ଧି ସାଙ୍ଗକୁ ପରୀକ୍ଷା ବଢ଼ୁଥିବାରୁ ସହରରୁ ଅଧିକ ପରିମାଣର କୋଭିଡ୍‌ ବର୍ଜ୍ୟ ବାହାରୁଛି। ତେଣୁ ତାହାକୁ ନଷ୍ଟ କରିବା ଏବେ ବଡ଼ ଚାଲେଞ୍ଜ ସୃଷ୍ଟି କଲାଣି। ଯଦିଓ ଏ ସବୁକୁ ନଷ୍ଟ କରିବା ଦାୟିତ୍ୱ ସାନିକ୍ଲିନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦିଆଯାଇଛି, ତଥାପି କରୋନା ଆକ୍ରାନ୍ତଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଏଣେତେଣେ ପଡ଼ୁଥିବାରୁ ତାହାକୁ ନେଇ ଚିନ୍ତା ବଢ଼ୁଛି। ଏହାର ସଠିକ ପରିଚାଳନା ଲାଗି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିର୍ଦେଶାବଳି ଜାରି ହୋଇଥିଲେ ମଧ୍ୟ ତୃଣମୂଳସ୍ତରରେ ତାହା ପାଳନ ହେଉ ନଥିବା ଅଭିଯୋଗ ହୋଇଛି। କେତେକ କ୍ଷେତ୍ରରେ ଅମାନିଆ କରୋନା ଆକ୍ରାନ୍ତ ବ୍ୟବହୃତ ସାମଗ୍ରୀକୁ ଏଣେତେଣେ ଫୋପାଡ଼ୁଥିବା ବେଳେ ଆଉ କିଛି କ୍ଷେତ୍ରରେ ବିଏମ୍‌ସି ଠିକ୍‌ ଭାବେ ସାମଗ୍ରୀ ସଂଗ୍ରହ କରୁ ନ ଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ସିପିସିବି ପକ୍ଷରୁ ଇତିମଧ୍ୟରେ ଚତୁର୍ଥ ଗାଇଡ୍‌ଲାଇନ ଜାରି ହୋଇଛି। ଯେଉଁଥିରେ କ୍ୱାରାଣ୍ଟିନ ସେଣ୍ଟର/କ୍ୟାମ୍ପ, ଆଇସୋଲସନ୍‌ ୱାର୍ଡ, ନମୁନା ସଂଗ୍ରହ କେନ୍ଦ୍ର, ଲାବରେଟୋରିରେ ରୋଗ ନିରୂପଣ ସମୟରେ, କୋଭିଡ୍‌-୧୯ ସଂକ୍ରମିତ ତଥା ସନ୍ଦେହଙ୍କ ଚିକିତ୍ସା ବେଳେ ଡାକ୍ତରଖାନା ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬କୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏକଥା ବି କୁହାଯାଇଛି, କ୍ୱାରାଣ୍ଟିନ ସେଣ୍ଟର, ହୋମ କେୟାର, କୋଭିଡ୍‌-୧୯ ଚିକିତ୍ସା ସୁବିଧା ଥିବା ହେଲ୍‌ଥ କେୟାର ସେଣ୍ଟରରୁ ବାହାରୁଥିବା ସଲିଡ୍‌ ୱେଷ୍ଟ ଓ ବାୟୋମେଡିକାଲ ୱେଷ୍ଟଗୁଡ଼ିକ ନଷ୍ଟ କରିବା ଦିଗରେ କିଭଳି ପଦକ୍ଷେପ ନେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe