କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି । ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହିତ ପାଚିକା ଏବଂ ସହାୟିକା ଯଦି ସେମାନଙ୍କ କାର୍ୟ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୫୫ ହଜାର ବିଦ୍ୟାଳୟରେ କାମ କରୁଥିବା ଏକ ଲକ୍ଷ ଦଶ ହାଜର ପାଚିକା ଓ ସହାୟିକା ଉପକୃତ ହେବେ । ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୩ ରୁ ଲାଗୁ ହେବ ।