କନକ ବ୍ୟୁରୋ: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି ।

Advertisment

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା ଏମବିକେ, ସିଆରପି-ସିଏମ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ୟ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ୟ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।

ଏମବିକେ, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ ୬୭୫୦ ଟଙ୍କାରୁ ୧୦୭୫୦ ଟଙ୍କା ପାଇବେ ।
କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତ୍ତେ ମୋଟ ୬,୨୫୦ ଟଙ୍କା ପାଇବେ ।
ସିଆରପି-ସିଏମ ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।

ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି । ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ତାଙ୍କୁ ଭେଟି ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।