ବସ୍ ଯାତ୍ରୀଙ୍କ ଉପରେ ଜୁଲମ୍ ! ଚଢିକି ଓହ୍ଲାଇଲେ ବି ସର୍ବନିମ୍ନ ୫ଟଙ୍କା

37

କନକ ବ୍ୟୁରୋ: ବସ୍ ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ଲଦି ଦେଇଛନ୍ତି ସରକାର । ଏଣିକି ସାଧାରଣ ବସରେ ଚଢ଼ିକି ଓହ୍ଲାଇଲେ ବି ୫ଟଙ୍କା ଭଡ଼ା ଦେବାକୁ ହେବ । ଯଦି ଡିଲକ୍ସ କି ଡିଲକ୍ସ ଏସି ବସରେ ଚଢ଼ିକି ଓହ୍ଲାଇବ ତେବେ ୧୩ଟଙ୍କା ଗଣିବ । ଆଉ ଯେତେ କିଲୋମିଟର ଯିବ ସେହି ଅନୁଯାୟୀ, ଅଧିକ ଭଡ଼ା ଦେବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପ୍ରକାରର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବସ୍ ଯାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ମୌଳିକ ସୁବିଧା ସୁଯୋଗ ଯୋଗାଇବାକୁ ଯୋଜନା ନକରି ହଠାତ୍ ଏହିଭଳି ବିଜ୍ଞପ୍ତି ଜାରି କରିଛନ୍ତି ।

କେବଳ ଏତିକି ନୁହେଁ । ରାଜ୍ୟ ସରକାର ବସ୍ ଭଡ଼ା ଏକସଙ୍ଗେ ୪ରୁ ୬ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬୦ରୁ ୬୪ପଇସାକୁ, ଏକ୍ସପ୍ରେସ୍ ବସ୍ ପାଇଁ ୬୩ରୁ ୬୭ପଇସାକୁ, ଡିଲକ୍ସ ବସ୍ ଭଡ଼ା ୮୪ରୁ ୮୯ପଇସାକୁ ଏବଂ ଡିଲକ୍ସ ଏସି ବସ୍ ଭଡ଼ା ୧ଟଙ୍କା ୫ପଇସାରୁ ୧ଟଙ୍କା ୧୧ପଇସାକୁ ବଢ଼ାଇ ଦେଇଛନ୍ତି । ଡିଜେଲ୍ ଦାମ୍ ବଢ଼ିଲେ କି କମିଲେ ସେହି ଅନୁଯାୟୀ, ପ୍ରତି ୧୫ଦିନରେ ବସ୍ ଭଡ଼ା କମାଇବା ପାଇଁ ସ୍ୱୟଂଚାଳିତ ପ୍ରକ୍ରିୟା ହୋଇଥିବାବେଳେ ହଠାତ୍ ରାଜ୍ୟ ସରକାର ବସ୍ ଭଡ଼ା ୪ରୁ ୬ପଇସା ବଢ଼ାଇବା ଅନେକଙ୍କୁ ଚକିତ କରିଛି ।

ଏତିକିରେ ଯାତ୍ରୀଙ୍କ ଉପରେ ଜୁଲମ୍ କମିନି । ବୋଝ ଉପରେ ନଳିତା ବିଡ଼ା ଭଳି ଯାତ୍ରୀ ନିଜ ସହିତ ନେଉଥିବା ସାମଗ୍ରୀ ଉପରେ ବି ଭଡ଼ା ଦେବାକୁ ପଡ଼ିବ । ବିମାନରେ ଯେପରି ଜଣେ ଯାତ୍ରୀ ପିଛା ୧୫କେଜି ନେଇ ଯିବାକୁ ନିୟମ ଅଛି ସେହିଭଳି ବସ୍ ଯାତ୍ରୀ ନିଜ ସହିତ ୧୫କେଜି ସାମଗ୍ରୀ ନେଇପାରିବେ । ଏହାଠାରୁ ଅଧିକ ସାମଗ୍ରୀ ନେଲେ ୨୦କେଜି ପର୍ଯ୍ୟନ୍ତ ସାମଗ୍ରୀ ପାଇଁ କିଲୋମିଟର ପିଛା ୭ପଇସା ଲେଖାଏଁ ଦେବାକୁ ହେବ । ବିମାନରେ ଯେତିକି ସିଟ୍ ସର୍ବାଧିକ ସେତିକି ଯାତ୍ରୀ ଯିବା ବ୍ୟବସ୍ଥା ଥିଲେ ହେଁ ବସରେ ସେହି ବ୍ୟବସ୍ଥା ଲାଗୁ ନ କରି ସାମଗ୍ରୀ ଉପରେ ସରକାର ଭଡ଼ା କଷି ଦେଇଛନ୍ତି । ଏଣିକି ପ୍ରତିବର୍ଷ ବଜେଟ୍ ଅଧିବେଶନ ପରେ ପରିବହନ କମିସନର ଏପ୍ରିଲ ମାସରେ ଭଡ଼ା ନିର୍ଦ୍ଧାରଣ କରିବେ । ଏହି ଭଡ଼ା ଡିଜେଲ୍ ଭଡ଼ା ବୃଦ୍ଧିକୁ ବାଦ୍ ଦେଇ ଧାର୍ଯ୍ୟ ହେବ । ଏହାପରେ ଡିଜେଲ୍ ଦର ବଢ଼ିଲେ କି କମିଲେ ପ୍ରତି ୧୫ଦିନରେ ଭଡ଼ା ବଢ଼ିବା କମିବା ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତି ଜାରି ହୋଇଛି ।

ଏନେଇ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ଗତ ୨ବର୍ଷ ହେଲା ସର୍ବନିମ୍ନ ବସ୍ ଭଡ଼ା ବୃଦ୍ଧି ପାଇନଥିଲା । କେବଳ ଡିଜେଲ୍ ଦର ବଢ଼ିଲେ ଭଡ଼ା ବଢ଼ୁଥିଲା । କିନ୍ତୁ ଅନ୍ୟ ପାରାମିଟର ଅନୁଯାୟୀ ଟାୟାର, ଟ୍ୟୁବ୍, ମୋବିଲ୍, ଚେସିସ୍, ଟ୍ୟାକ୍ସ ଭଳି ୧୨ଟି ଉପାଦାନର ବୃଦ୍ଧିକୁ ନଜରରେ ରଖି ଭଡ଼ା ବୃଦ୍ଧି ହେଉନଥିଲା । ପୂର୍ବରୁ ରାଜ୍ୟ ସରକାର ୧୩ଟି ପାରାମିଟରକୁ ନଜରରେ ରଖି ପ୍ରତିବର୍ଷ ଭଡ଼ା ବୃଦ୍ଧି କରୁଥିଲେ । ପ୍ରତିବର୍ଷ ସର୍ବନିମ୍ନ ଭଡ଼ା ବଢ଼ାଇବାକୁ ଦାବି କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଏଣିକି ବସରେ ରିହାତି ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ଏଚଆଇଭି/ଏଡ୍ସ ସଂକ୍ରମିତଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ହେବ । ସଂପୂର୍ଣ୍ଣ ଦୃଷ୍ଟିହୀନଙ୍କୁ ଶତ ପ୍ରତିଶତ ଭଡ଼ା ଛାଡ଼ ସହ ସାଙ୍ଗରେ ଯାଉଥିବା ଯାତ୍ରୀଙ୍କୁ ଅଧା ଭଡ଼ା ଛାଡ଼, ମାନସିକ ବିକାରଗସ୍ତ ଓ ଶାରୀରିକ ଭିନ୍ନକ୍ଷମଙ୍କୁ ପୂରା ଭଡ଼ା ଛାଡ଼ ହେବ । ସେମାନଙ୍କ ସହ ଯାଉଥିବା ଯାତ୍ରୀ ଅଧା ଭଡ଼ା ଦେଇ ଯାଇପାରିବେ । ସଂପୂର୍ଣ୍ଣ ଶୁଭା ଯାଉନଥିବା ଯାତ୍ରୀଙ୍କୁ ବି ପୂରା ଭଡ଼ା ଛାଡ଼ ହେବ । କିନ୍ତୁ ତାଙ୍କ ସହ ଯାଉଥିବା ଯାତ୍ରୀଙ୍କୁ ପୂରା ଭଡ଼ା ଦେବାକୁ ହେବ ।