କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରୁସୁଗୁଡା ଜିଲ୍ଲା ପ୍ରଶାସନ ବି କଟକଣା ଜାରି କରିଛି । ଗଞ୍ଜାମ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ଆସିଲେ ୧୪ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ୭୨ ଘଂଟା ମଧ୍ୟରେ ଫେରିଯିବାକୁ ଚାହେଁ ତାେହେଲେ ସଙ୍ଗରୋଧ ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଶାସନ କହିଛି । ସରକାରୀ କିମ୍ବା କୋର୍ଟ କ୍ଷେତ୍ରରେ ଯିବା ବ୍ୟକ୍ତିଙ୍କ ଲାଗି ଏହି କଟକଣା ଲାଗୁ ହେବ ନାହିଁ ।
We will be a good host to the incomers from the districts of Ganjam and Cuttack and Panposh subdivision of Sundargarh. Will receive back the retunees also well. However request the magnanimity of our good friends to accept our decision of quarantine with exceptions from tomorrow
— DM_Jharsuguda (@dm_jharsuguda) July 5, 2020
ଅନ୍ୟପଟେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଲମପୁର ପଂଚାୟତର ୬ ଗାଁକୁ ୭୨ ଘଂଟିଆ ସଟଡାଉନ ଘୋଷଣା କରାଯାଇଛି । ପଂଚାୟତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ସଟଡାଉନ୍ ଘୋଷଣା କରିଛନ୍ତି ସରପଂଚ ମିନା କୁମାରୀ ମାଝି । ପଂଚାୟତର କଲମପୁର, ବରଗାଁ, କସାବାହି, ଘୋଡବନ୍ଧ, ଗଂଜେଇଗୁଡା ଓ ସାଗବାରୀ ଗାଁକୁ ସଟଡାଉନ ଘୋଷଣା କରାଯାଇଛି । ସଂକ୍ରମିତ ଯୁବକ ଜଣକ ଜୁନାଗଡ ବ୍ଲକ ଅଂଚଳର । ତେବେ ସେ ଗତ ଗୁରୁବାର ମାମୁଁ ଘର ଗଂଜେଇଗୁଡାକୁ ଆସିଥିଲେ । ଯୁବକ ଜଣକ ଜୁନାଗଡ ବ୍ଲକର ଟିଏମସିରେ ରହିଥିଲେ ଓ ମାମୁଁ ଘରକୁ ଆସିଥିଲେ । ପଜିଟିଭ ରିପୋର୍ଟ ଆସିବା ପରେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ କରି ପ୍ରଶାସନ ପକ୍ଷରୁ ପାଖପାଖି ୬ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ତେବେ କଲମପୁର ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୟର ବାତାରଣ ଦେଖିବାକୁ ମିଳିଛି ।
ଏପଟେ, କୋଭିଡ କଟକଣା ଭିତରେ କଟକରେ ଜାରି ରହିଛି ୪ ଦିନିଆ ସଟଡାଉନ୍ । ବିଭିନ୍ନ ଛକ ସ୍ଥାନ ଗୁଡିକରେ ପୋଲିସ କଡା ପାଟ୍ରୋଲିଂ କରୁଛି । ସେପଟେ କରୋନାକୁ ନେଇ ସିଏମସି ନେଇଛି ଆଉ ଏକ ନିଷ୍ପତି । କଟକକୁ ଆସିଲେ ରହିବାକୁ ପଡିବ କ୍ୱାରେଂଟିନରେ । ୫ ଟି ହଟସ୍ପଟ୍ ଜିଲ୍ଲା ଓ କଟକ ଜିଲ୍ଲାର ୫ଟି ବ୍ଳକରୁ କଟକ ସହରକୁ ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଂଟିନ୍ରେ ରହିବାକୁ ପଡ଼ିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ସିଏମସି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସଂକ୍ରମଣ ରୋକିବାକୁ ଏପରି ନିଷ୍ପତି ନେଇଛି କଟକ ମହାନଗର ନିଗମ ।
ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ଜିଲ୍ଲାରୁ କଟକ ଆସିଲେ ସଙ୍ଗରୋଧରେ ରହିବାକୁ ପଡ଼ିବ । ସେହିପରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଳକରୁ କଟକ ମହାନଗମ ଅଂଚଳକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । ହୋମ କ୍ୱାରେଂଟିନରେ ଯଦି ରହିବା ପାଇଁ ସୁବିଧା ନଥିବ, ତେବେ ସରକାରଙ୍କ କ୍ୱାରେଂଟିନ୍ ସେଂଟରରେ ରହିବେ ବାହାରୁ ଆସୁଥିବା ବ୍ୟକ୍ତି । କଟକରେ ଯେଉଁ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ଜିଲ୍ଲାର ଲୋକ ହୋଇଥିବାରୁ ସିଏମସି ଏହି ନିଷ୍ପତି ନେଇଛି ।