କେତେ ଲାଭ ଦେବ ସୀତାରମଣଙ୍କ ଟ୍ୟାକ୍ସ ସୂତ୍ର ? ବଜେଟରେ ନୂଆ ପୁରୁଣା ଆୟକର ବ୍ୟବସ୍ଥାକୁ ନେଇ ସାରା ଦେଶରେ ବିତର୍କ । ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

419

କନକ ବ୍ୟୁରୋ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ହିସାବ ନିକାସ ଆରମ୍ଭ କରିବା ବେଳେ ଲାଗୁଥିଲା ଆୟକର ଦାଖଲ ସରଳ ହେବା ସହ ମଧ୍ୟବିତ୍ତଙ୍କୁ ଏଥର ବେଶ୍ ଲାଭ ହେବ । ହେଲେ ବଜେଟ ଉପସ୍ଥାପନ ଶେଷ ହେବା ବେଳକୁ ଏହା ଧୀରେ ଧୀରେ ଜଟିଳ ହୋଇପଡିଥିବା ଅନୁଭୂତ ହୋଇଥିଲା । ଆମେ ଆପଣଙ୍କ ଆଗରେ ଦୁଇଟି ବ୍ୟବସ୍ଥାରେ କେତେ ସଂଚୟ କଲେ କେତେ ଆୟକର ଦେବାକୁ ପଡିବ ତାର ଏକ ଉଦାହରଣ ରଖୁଛୁ ।

ଯଦି ଆପଣ ବାର୍ଷିକ ୭ ଲକ୍ଷ ପଚାଶ ହଜାର ଟଙ୍କା ଆୟ କରୁଛନ୍ତି ଏବଂ ପୁରୁଣା ୮୦ (ସି) ବ୍ୟବସ୍ଥାରେ ଆପଣ ୧ ଲକ୍ଷ ୫୦ ହଜାର ଟଙ୍କା ସଂଚୟ କରୁଛନ୍ତି ତେବେ ଆପଣଙ୍କୁ ଏହି ଆୟକର ବ୍ୟବସ୍ଥା ଅନୁଯାୟୀ ୩୩ ହଜାର ୮ ଶହ ଟଙ୍କା ଆୟକର ଦେବାକୁ ପଡିବ । କିନ୍ତୁ ନୂଆ ବ୍ୟବସ୍ଥାରେ ଆପଣଙ୍କୁ ୩୯ ହଜାର ଟଙ୍କା ଆୟକର ଦେବାକୁ ପଡିବ ।

ସେହିପରି ଯଦି ଆପଣ ବାର୍ଷିକ ୯ ଲକ୍ଷ ଟଙ୍କା ଆୟ କରୁଛନ୍ତି, ଏବଂ ୮୦ (ସି) ଓ ୮୦(ଡି) ବ୍ୟବସ୍ଥାରେ ଆପଣ ୨ ଲକ୍ଷ ୩୫ ହଜାର ଟଙ୍କା ସଂଚୟ କରି ରିହାତି ନେଉଛନ୍ତି,ତେବେ ପୁରୁଣା ଆୟକର ବ୍ୟବସ୍ଥା ଅନୁଯାୟୀ ୪୮ ହଜାର ୩୬୦ ଟଙ୍କା ଆପଣଙ୍କୁ ଆୟକର ଦେବାକୁ ପଡିବ । କିନ୍ତୁ ନୂଆ ବ୍ୟବସ୍ଥା ଅନୁଯାୟୀ ୬୨ ହଜାର ୪ଶହ ଟଙ୍କା ଦେବାକୁ ଆୟକର ପଡିବ ।

ସେହିପରି ଯଦି ଆପଣ ବାର୍ଷିକ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ୮୦(ସି) ବ୍ୟବସ୍ଥାରେ ଦେଢ଼ ଲକ୍ଷ ଟଙ୍କା ସଂଚୟ କରି ରିହାତି ନେଉଛନ୍ତି ତେବେ ଆପଣଙ୍କୁ ପୁରୁଣା ବ୍ୟବସ୍ଥାରେ ୮୫ ହଜାର ୮ଶହ ଟଙ୍କା ଆପଣଙ୍କୁ ଆୟକର ଦେବାକୁ ହେବ । ଏବଂ ନୂଆ ବ୍ୟବସ୍ଥାରେ ୭୮ ହଜାର ୮ଶହ ଟଙ୍କା ଆୟକର ଦେବାକୁ ପଡିବ ।

ଯଦି ଆପଣ ବାର୍ଷିକ ୧୫ ଲକ୍ଷ ରୋଜଗାର କରୁଛନ୍ତି, ଏବଂ ୮୦ (ସି) ଓ ୮୦(ଡି) ବ୍ୟବସ୍ଥାରେ ସଂଚୟ କରି ୩ ଲକ୍ଷ ଟଙ୍କାର ରିହାତି ନେଉଛନ୍ତି ତେବେ ଆପଣଙ୍କୁ ପୁରୁଣା ବ୍ୟବସ୍ଥାରେ ୧ ଳକ୍ଷ ୭୯ ହଜାର ୪ ଶହ ଟଙ୍କା ଦେବାକୁ ପଡିବ । ଏବଂ ନୂଆ ବ୍ୟବସ୍ଥାରେ ୧ ଲକ୍ଷ ୯୫ ହଜାର ଟଙ୍କା ଆୟକର ଦେବାକୁ ପଡିବ ।

ବିଶେଷଜ୍ଞ ତଥା ଚାଟାର୍ଡ ଆକାଉଁଟାଂଟ ଅରୁଣ କୁମାର ସାବତଙ୍କ କହିବା ଅନୁସାରେ ଆୟକର ଦାଖଲ ପାଇଁ ସରକାର ଆଣିଥିବା ଦୁଇଟି ବ୍ୟବସ୍ଥାକୁ ଦେଖିଲେ ଅଧିକାଂଶ ବର୍ଗଙ୍କ ପାଇଁ ପୁରୁଣା ବ୍ୟବସ୍ଥା ଲାଭଦାୟକ ହେବ ।

ତେବେ ଆୟକର ଦାଖଲ ପାଇଁ ପ୍ରତ୍ୟକ ବର୍ଷ ଆପଣ ନିଜ ହିସାବ ନିକାସ କରି କେଉଁଟି ଆପଣଙ୍କ ପାଇଁ ଲାଭ ଦାୟକ ହେବ ତାହା ପରାମର୍ଶ କରି ନିଷ୍ପତି ନେଇପାରିବେ । ଆଶ୍ୱସ୍ତିର କଥା ହେଉଛି ପ୍ରତ୍ୟକ ବର୍ଷ ଆପଣ ନୂଆ ଓ ପୁରୁଣା ବ୍ୟବସ୍ଥା ମଧ୍ୟରେ ଗୋଟିଏ ବ୍ୟବସ୍ଥାକୁ ଚୟନ କରିପାରିବେ ।