ବିଧାୟକ ଓ ସାଂସଦଙ୍କ ପାଇଁ କ’ଣ ରହିଛି ଆୟକର ନିୟମ । ଜାଣନ୍ତୁ ଭାରତରେ କେଉଁମାନଙ୍କୁ ଦେବାକୁ ପଡେନାହିଁ ଆୟକର

532

କନକ ବ୍ୟୁରୋ : ଏବେ ଏବେ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି କି ରାଜ୍ୟର ବିଧାୟକମାନଙ୍କୁ ଆୟକର ଦେବାକୁ ପଡିବ । ଏହିକ୍ରମରେ ଏବେ ଲୋକସଭାର ସାଂସଦମାନଙ୍କୁ ମିଳୁଥିବା ସୁବିଧା ଉପରେ ଆୟକର ଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି କି,ଲୋକପ୍ରତିନିଧୀଙ୍କୁ ସେମାନଙ୍କ ରୋଜଗାର ଉପରେ ଦେବାକୁ ପଡେ କି ? ଯଦି ଦେବାକୁ ପଡେ ତେବେ ଏହା ପାଇଁ କ’ଣ ରହିଛି ନିୟମ ?

ସାଂସଦମାନେ ଆୟକର ଦିଅନ୍ତି ନାହିଁ ଏହା ଭୁଲ କଥା । ସାଂସଦମାନେ ବି ଆୟକର ଦେଇଥାନ୍ତି । ଏହା ସତ କଥା ଯେ, ସାଂସଦମାନେ କୌଣସି କର୍ମଚାରୀ ନୁହଁନ୍ତି କି କୌଣସି ସଂଗଠନ ଅଧିନରେ କାମ କରିନଥାନ୍ତି । ସେମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ତେଣୁ ସେମାନଙ୍କ ପାଇଁ ଆୟକର ବିଭାଗର ଅଲଗା ବ୍ୟବସ୍ଥା ରହିଛି । ସାଂସଦଙ୍କ ରୋଜଗାରକୁ , ଇନକମ୍ ଫ୍ରମ ଅଦର ସୋର୍ସ ଭାବେ ଗଣତି କରାଯାଏ । ତେଣୁ ସେ ତାଙ୍କୁ ମୋଟ ରୋଜଗାର ଉପରେ ଆୟକର ଦେଇ ନଥାନ୍ତି । ସାଂସଦମାନେ କେବଳ ତାଙ୍କ ଦରମା ଉପରେ ଆୟକର ଦେଇଥାନ୍ତି । ହେଲେ ସାଂସଦଙ୍କ ମିଳୁଥିବା ଅନ୍ୟାନ୍ୟ ସୁବିଧା ଉପରେ ଆୟକର ଦେବାକୁ ପଡିନଥାଏ ।

ବିଧାୟକଙ୍କ ପାଇଁ ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ନିୟମ ହୋଇଥାଏ । ପ୍ରତି ରାଜ୍ୟରେ ବିଧାୟକଙ୍କ ଦରମା ବି ଅଲଗା ଅଲଗା ହୋଇଥାଏ । ହେଲେ ବିଧାୟକମାନେ ପାଉଥିବା ଦରମା ଉପରେ ବି ସେମାନଙ୍କୁ ଆୟକର ଦେବାକୁ ପଡିଥାଏ । ସାଂସଦମାନଙ୍କ ଭଳି ବିଧାୟକଙ୍କୁ ଦରମା ପରେ ମିଳୁଥିବା ଆନୁସାଂଗିକ ସୁବିଧା ଉପରେ ଆୟକର ଦେବାକୁ ପଡିନଥାଏ । ହେଲେ କିଛି ରାଜ୍ୟରେ ରାଜ୍ୟ ସରକାର ବିଧାୟକଙ୍କ ଆୟକରକୁ ରାଜ୍ୟ ରାଜକୋଷରୁ ଭରଣା କରିଥାନ୍ତି । କେବଳ ବିଧାୟକ ଓ ସାଂସଦ ନୁହଁନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମଧ୍ୟ ସେମାନଙ୍କ ଦରମା ଉପରେ ଆୟକର ଦେଇଥାନ୍ତି ।