ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ

176

କନକ ବ୍ୟୁରୋ : ଦେଶରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାର ପ୍ରମାମଣ ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲିଂରୁ ଜଣାପଡିଛି । ଇନକମ୍ ଟ୍ୟାକ୍ସ ରିଟର୍ନ ବିଭାଗ ପାଇଁ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ବିଭାଗର ଆକଳନ ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ୬.୭୭ କୋଟି ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ଡିପୋଜିଟ ହୋଇଛି । ଏହା ଗତବର୍ଷ ତୁଳନାରେ ୧୬.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି ।

ସେହିଭଳି ଦେଶରେ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି । ୨୦୨୨-୨୩ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ମୁତାବକ ମୋଟ ୧,୬୯, ୮୯୦ ଜଣ ଲୋକଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଛି ।

ସାମ୍ଭାବ୍ୟ ବର୍ଷ ୨୦୨୧-୨୨ ରେ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୪୪୪ ଥିଲା । ଆକଳନ ବର୍ଷ ୨୦୨୦-୨୧ ରେ ଏହି ସଂଖ୍ୟା ୮୧,୬୫୩ ଥିଲା । ଏହି ତାଲିକାରେ ବ୍ୟକ୍ତିଗତ କରଦାତା, କମ୍ପାନୀ , ଫାର୍ମ ଓ ବ୍ୟବସାୟୀ ସାମିଲ ରହିଥିଲେ ।

୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ଦାଖଲ ହୋଇଥିବା ମୂଲ୍ୟାୟନ ବର୍ଷ ୨୦୨୩-୨୪ ପାଇଁ ମୋଟ ଆଇଟିଆର ସଂଖ୍ୟା ୬.୭୭ କୋଟିରୁ ଅଧିକ , ଯାହାକି ୨୦୨୨ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୂଲ୍ୟାୟନ ବର୍ଷ ୨୦୨୨-୨୩ ପାଇଁ ମୋଟ ଆଇଟିଆର (୫.୮୩ କୋଟି) ତୁଳନାରେ ୧୬.୧ ପ୍ରତିଶତ ଅଧିକ ।