ଆଜି ମୁମ୍ୱାଇ-ପୁଣେରେ ୨୨ଟି ସ୍ଥାନରେ ଆୟକର ଚଢାଉ । ଅନୁରାଗ କାଶ୍ୟପ, ତାପସୀ ପନ୍ନୁଙ୍କ ସମେତ ଅନେକ କଳାକାରଙ୍କ ଘର ହେଲା ଯାଞ୍ଚ।

305

କନକ ବ୍ୟୁରୋ: ଆଜି ମାୟାନଗରୀ ମୁମ୍ୱାଇରେ ଆୟକର ବିଭାଗ ବଡ ଧରଣର ଚଢଉ କରିଛି । ବଲିଉଡର ନାଁ କରା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ବିକାଶ ବେହଲ, ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମଟେଂନା ପ୍ରମୁଖଙ୍କ ବାସଭବନରେ ଏହି ଚଢାଉ ହୋଇଛି । ସୂଚନା ଅନୁସାରେ ମହାରାଷ୍ଟ୍ରର ୨୨ଟି ଠିକଣା ଉପରେ ଏହି ଚଢାଉ ହୋଇଛି । ଫାଣ୍ଟମ ପ୍ରଯୋଜନା ସଂସ୍ଥା ଉପରେ ଟିକସ ଚୋରି ଅଭିଯୋଗ ଲିଙ୍କରେ ଆୟକର ବିଭାଗ ଏହି ଚଢାଉ କରିଥିବା ସୂଚନା ମିଳିଛି ।

ମୁମ୍ୱାଇ ଓ ପୁଣେରେ ୨୨ରୁ ଅଧିକ ସ୍ଥାନ ଉପରେ ଆୟକର ଚଢାଉ କରାଯାଇଛି । ଫାଣ୍ଟମ ପ୍ରଯୋଜନା ସଂସ୍ଥା ସହିତ ଜଡିତ ସମସ୍ତ କଳାକାରଙ୍କ ଘରେ ଛାପା ମାରିଛନ୍ତି ଆୟକର ବିଭାଗ ଅଧିକାରୀ । ୨୦୧୧ ମସିହାରେ ଅନୁରାଗ କାଶ୍ୟପ, ମଧୁ ମେଂଟନା ଓ ବିକ୍ରମାଦିତ୍ୟ ମୋଟୱାନୀ ଏବଂ ବିକାଶ ବେହଲ ଫାଣ୍ଟମ ଫିଲ୍ମର ସ୍ଥାପନ କରିଥିଲେ । ୨୦୧୮ ମସିହାରେ ଏହି ପ୍ରଯୋଜନା ସଂସ୍ଥାକୁ ବନ୍ଦ କରିଦିଆଯାଇଥିଲା । ତେବେ ଟିକସ ଫାଙ୍କି ନେଇ ଅଭିଯୋଗ ଆସିବା ପରେ , ଆୟକର ବିଭାଗ ଏହି ଚଢାଉ କରିଥିବା ସୂଚନା ମିଳିଛି।

କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିର କଡା ସମାଲୋଚକ ରହି ଆସିଛନ୍ତି ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ନିଜର ମତ ରଖିଥାନ୍ତି । ମୋଦୀ ସରକାରଙ୍କ ସମାଲୋଚକ ଥିବାରୁୁ ସେମାନଙ୍କ ମୁହଁ ବନ୍ଦ କରିବାକୁ ଆୟକର ଚଢାଉ ହୋଇଥିବା ବିରୋଧି ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବିକାଶ ବେହଲଙ୍କ ଉପରେ ମିଠୁ କ୍ୟାମ୍ପେନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଫାଣ୍ଟମ ଫିଲ୍ମର ୪ ପ୍ରଯୋଜକ ପରସ୍ପରଠୁ ଅଲଗା ହୋଇଥିଲେ  । ଏବେ ଅନୁରାଗ କାଶ୍ୟପଙ୍କ ଅପକମିଙ୍ଗ୍ ମୁଭି ଦୋବାରାର ସୁଟିଂ ଆରମ୍ଭ କରିଛନ୍ତି ତାପସୀ ପନ୍ନୁ । ଏପରି ସମୟରେ ଆୟକର ଚଢାଉ ବଲିଉଡ ଜଗତରେ ଚିନ୍ତା ଖେଳାଇ ଦେଇଛି ।