କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । ନୟାପଲ୍ଲୀ ମୁଖ୍ୟ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଚଢାଉ ବେଳେ ଜବତ ହୋଇଥିବା କାଗଜପତ୍ରକୁ ନେଇ ଛାନଭିନ୍ କରାଯାଉଛି । ମିଳିଥିବା କାଗଜ ପତ୍ର ସମ୍ପର୍କରେ ନୟାପଲ୍ଲୀ ଡିଏନ ଗ୍ରୁପ ଅଫିସରେ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଆୟକର ବିଭାଗ କରୁଛି ପଚରାଉଚରା । ଚଢ଼ାଉର ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ଜେରା କରାଯାଇଛି ।

Advertisment

ସେହିପରି ଟିକସ ଫାଙ୍କିବା ଅଭିଯୋଗରେ ଆକାଉଣ୍ଟାଣ୍ଟକୁ ଚାଲିଛି ପଚରାଉଚରା । ଗତକାଲି ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା । ସଂପୃକ୍ତ ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ପଚରାଉଚରା ଜାରି ରଖିଛି । ସେହିପରି ତ୍ରିଶୁଳିଆ ଡିଏନ୍ ଗ୍ରୁପର ଟୁଇନସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି । ବୁଧବାର ଓ ଗୁରୁବାର ଜବତ କରାଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ-୧ ସ୍ଥିତ ଏସବିଆଇ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଇଛି ।