ସୋନୁ ସୁଦଙ୍କ ଘରେ ପୁଣି ପହଞ୍ଚିଲା ଆୟକର ବିଭାଗ । ରୋଜଗାର ଓ ଖର୍ଚ୍ଚକୁ ନେଇ ଯାଞ୍ଚ କରୁଥିବା ସୂଚନା ।

139

କନକ ବ୍ୟୁରୋ : ବଲିଉଡ ଅଭିନେତା ସୋନୁ ସୁଦଙ୍କ ବଢିଲା ଅଡୁଆ । ଆଜି ପୁଣି ସୋନୁଙ୍କ ଘରେ ପହଞ୍ଚିଛି ଆୟକର ବିଭାଗ । ଲଗାତାର ୨ ଦିନ ହେବ ସୋନୁଙ୍କ ଘରେ ସର୍ଭେ ପାଇଁ ପହଞ୍ଚିଛି ଆଇଟି ଟିମ୍  । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବଦରେ ଆୟକର ବିଭାଗ ଯାଞ୍ଚ କରୁଥିବା କୁହାଯାଉଛି ।

ଏହାପୂର୍ବରୁ ବୁଧବାର ମଧ୍ୟ ସୋନୁଙ୍କ ଅଫିସ ଓ ଘରେ ସର୍ଭେ କରିଥିଲା ଆୟକର ବିଭାଗ । ସୋନୁଙ୍କ ମୁମ୍ବାଇସ୍ଥିିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ପହଁଚି ଖାନ ତଲାସି କରିଥିଲା ଆଇଟି ଟିମ । ଆୟକର ବିଭାଗ ସୋନୁଙ୍କ ସର୍ମ୍ପତିର ସର୍ଭେ କରିଛି  । ଅଭିନେତାଙ୍କ ବ୍ୟାଙ୍କ ଆକାଉଁଟରେ ଅର୍ଥ ହେରଫେର ଅଭିଯୋଗ ଆଧାରରେ ଆଇଟି ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି ।

ସୋନୁଙ୍କ ଘରେ ଆୟକର ବିଭାଗ ସର୍ଭେ କରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋନୁ ସୁଦଙ୍କୁ ସମର୍ଥନ କରି କେଜ୍ରିୱାଲ କହିଛନ୍ତି, “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ ।  ସତ୍ୟ ପଥରେ ଚାଲିବାକୁ ହେଲେ ସବୁବେଳେ ବିପଦର ସାମ୍ନା କରିବାକୁ ପଡେ । ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ  ପରିବାରଙ୍କ ଆଶୀର୍ବାଦ ରହିଛି, ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।” ତେବେ ଏହି ଘଟଣାକୁ ନେଇ ସୋନୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କରୋନା କାଳରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ଶ୍ରମିକଙ୍କ ଭଗବାନ ପାଲଟିଯାଇଥିଲେ ସୋନୁ ସୁଦ୍ । ଯେତେବେଳେ ସରକାର ପ୍ରବାସୀଙ୍କୁ ପହଞ୍ଚାଇବାକୁ ଅସମର୍ଥ ହେଉଥିଲା, ସେତେବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଶେଷ ସାହାରା ଥିଲେ ସୋନୁ । ଆଉ ଏଥିପାଇଁ ଦିନରାତି ଏକ କରି ପ୍ରବାସୀ ତାଙ୍କ ପରିବାର ପାଖରେ ପହଞ୍ଚାଇଥିଲେ ସୋନୁ । ଏପରିକି ଏବେ ଅନେକ ଗରିବ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛନ୍ତି ସୋନୁ । ଯେଉଁଥିପାଇଁ ଏବେ ଦେଶର ପ୍ରତିଟି ପରିବାର ପାଖରେ ଜଣାଶୁଣା ସୋନୁ ସୁଦ୍ ।