ଗୁଜୁରାଟର ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ, ୫୦୦ କୋଟି ଟଙ୍କାର ଠକେଇ ମାମଲା

87

କନକ ବ୍ୟୁରୋ : ଗୁଜୁରାଟର ଏକ ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ଠକେଇ ମାମଲାରେ ବ୍ୟବସାୟୀଙ୍କ ୨୩ ଟି ଠିକାଣା ଉପରେ ବିଭାଗ ଚଢାଉ କରିଛି । ଏହି ଚଢାଉ ବେଳେ ବେପାରୀ ଜଣଙ୍କ ୫୦ କୋଟି ଟଙ୍କାର ଠକେଇ କରିଥିବା ସୂଚନା ମିଳିଛି ।

ଆୟକର ବିଭାଗର ସୂଚନା ମୁତାବକ ଏହି ବ୍ୟବସାୟୀ ଜଣଙ୍କ ହୀରା ମ୍ୟାନୁଫେକଚରିଂ ସହ ରପ୍ତାନୀ ମଧ୍ୟ କରୁଥିଲେ । ହେଲେ ଆୟକର ଫାଙ୍କିଥିବା ଅଭିଯୋଗ ଆସିବା ପରେ ବିଭାଗ ସେପ୍ଟେମ୍ବର ୨୨ ତାରିଖରେ ବ୍ୟବସାୟୀଙ୍କ ସୁରତ, ନବସାରୀ, ମୌରବି, ବାଂକାନୋର ଓ ମୁମ୍ବାଇ ସମେତ ୨୩ ଟି ସ୍ଥାନରେ ଚଢାଉ କରିଛି । ଏହି ଚଢାଉ ପରେ ଆୟକର ବିଭାଗ ଅନେକ କାଗଜପତ୍ର ସହ ସଂମ୍ପତ୍ତି ବି ଜବତ କରିଛି । ଏହାପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ଆୟକର ଅଧିକାରୀଙ୍କ ସୂଚନା ମୁତାବକ ଇଣ୍ଟେଲିଜେନ୍ସ ଠାରୁ ମିଳିଥିବା ସୂଚନା ଆଧାରରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଅନେକ କାଗଜପତ୍ର ସହ ୫୧୮ କୋଟି ଟଙ୍କାର ବେଆଇନ ହୀରା କାରବାର ନେଇ ପ୍ରମାଣ ମିଳିଛି । ଏହାସହ ଆୟକର ବିଭାଗ ଦାବି କରିଛି କି ବ୍ୟବସାୟୀ ଜଣଙ୍କ ବେଆଇନ କାରବାର ନେଇ ସମସ୍ତ କାଗଜପତ୍ର ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖିଥିଲେ ।

ଅନ୍ୟପଟେ ବ୍ୟବସାୟୀ ଜଣଙ୍କ ବେଆଇନ ହୀରା କାରବାରରୁ ରୋଜଗାର କରିଥିବା ଟଙ୍କାକୁ ଜମି କିଣିବା ଓ ଷ୍ଟକ ମାର୍କେଟରେ ନିବେଶ କରିବା ଭଳି କାମରେ ଲଗାଇଛନ୍ତି । ଏହାସହ ଚଢାଉ ବେଳେ ୧.୯୫ କୋଟି ଟଙ୍କାର ଗହଣା ଓ ନଗଦ ରାଶି ବି ଜବତ କରିଛି । ଏହାସହ ୮୯୦୦ କ୍ୟାରେଟର ୧୦.୯୮ କୋଟି ଟଙ୍କାର ହୀରା ମଧ୍ୟ ଜବତ ହୋଇଛି ।