କନକ ବ୍ୟୁରୋ : କରୋନା ଜନିତ ମୃତ୍ୟୁରେ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଅସମର୍ଥ ବୋଲି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି । ହେଲେ କରୋନା ଚିକିତ୍ସାରେ ହେଉଥିବା ଖର୍ଚ୍ଚ କିମ୍ବା କରୋନା ସଂକ୍ରମଣ ଫଳରେ ହେଉଥିବା ମୃତ୍ୟୁରେ ମୃତକଙ୍କ ପରିବାରକୁ ଯଦି ସହାୟତା ରାଶି ମିଳୁଛି ତେବେ ତା ଉପରେ କେନ୍ଦ୍ର ସରକାର ଆୟ କର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆୟକର ବିଭାଗର ସୂଚନାନୁସାରେ, କରୋନା ଚିକିତ୍ସା ପାଇଁ ଅନେକ ଟିକସଦାତା ସେମାନଙ୍କ ନିଯୁକ୍ତିଦାତା କିମ୍ବା ଅନ୍ୟ କୌଣସିଠାରୁ ସାହାଯ୍ୟ ନେଇଥିଲେ, ତାହା ଆୟକର ତାଲିକାରୁ ବାଦ ଦିଆଯିବ ।
୨୦୧୯-୨୦ ଆର୍ଥିକ ବର୍ଷରେ କିମ୍ବା ଚଳିତ ବର୍ଷ କରୋନା ଚିକିତ୍ସା ପାଇଁ ହୋଇଥିବା ଖର୍ଚ୍ଚରାଶିରୁ ଆୟକର ନିଆନଯିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା କାରଣରୁ ମୃତ୍ୟୁ ହେଲେ, ଅନୁକମ୍ପାମୂଳକ ରାଶି କିମ୍ବା ମୃତକଙ୍କ କମ୍ପାନୀ କିମ୍ବା ସମ୍ପର୍କୀୟଙ୍କଠାରୁ ପ୍ରାପ୍ତ ସହାୟତା ଉପରେ ଆୟକର ଆଦାୟ କରାଯିବ ନାହିଁ । କମ୍ପାନୀଗୁଡିକ ପାଇଁ ଏହି ଘଟଣାରେ ମୃତ କର୍ମଚାରୀଙ୍କୁ ଦିଆଯାଇଥିବା ସହାୟତା ପାଇଁ କୌଣସି ସୀମା ରଖାଯାଇନାହିଁ । ସେହିପରି ସମ୍ପର୍କୀୟ କିମ୍ବା ଅନ୍ୟମାନଙ୍କ ତରଫରୁ ମିଳିଥିବା ସହାୟତା ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ନିଆଯିବ ନାହିଁ ।
ସୂଚନା ଥାଉ କି କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆୟକର ବିଭାଗ ମଧ୍ୟ ଅନେକ ଦଲିଲ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। ବିଭାଗ ଅନୁଯାୟୀ ବିଭିନ୍ନ ପ୍ରକାରର ଆୟକର ଦଲିଲ ଦାଖଲ କରିବାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଛି। ସେହିପରି ପ୍ୟାନ ସହ ଆଧାର ସଂଯୁକ୍ତ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଶେଷ ତାରିଖକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
