କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଆୟକର ବିଭାଗର ମାରାଥନ ରେଡ୍ । ବ୍ୟବସାୟୀଙ୍କ ଘରେ ଓ ପ୍ରତିଷ୍ଠାନ ଉପରେ ରେଡ୍ ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ମୋଟା ଅଙ୍କର ଟିକସ ଫାଙ୍କି ଅଭିଯୋଗରେ ଏହି ଚଢାଉ ହେଉଥିବା କୁହାଯାଉଥିବା ବେଳେ ବ୍ୟବସାୟୀ ଏମାନଙ୍କର ପଲିଟିକାଲ ଲିଙ୍କ୍ ରହିଥିବା ଚର୍ଚ୍ଚା ହେଉଛି । ଏମାନେ କୁଆଡ଼େ ରାଜନୈତିକ ଦଳକୁ ଫଣ୍ଡିଂ କରନ୍ତି ।

Advertisment

ଗଞ୍ଜାମ ଜିଲ୍ଲାର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁର ଲୋଡ଼ାପଡ଼ା ସ୍ଥିତ କାର୍ଯ୍ୟାଳୟ ଓ କ୍ରସର ୟୁନିଟରେ ହୋଇଛି ଆଇଟି ରେଡ୍ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବିଜେଡି ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆଇଟି ବିଭାଗର ଦୁଇଟି ଟିମ୍ ତାଙ୍କ ବାଗୁଡି ସ୍ଥିତ ଘର, ଖାଦାନ, କଲ୍ୟାଣ ମଣ୍ଡପ ଓ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ହୋଇଛି ଆଇଟି ରେଡ୍ । ବିଛାଖଣ୍ଡି, ରାହାଡପୁର ଓ ଚଢ଼େଇଧରାର ବିଭିନ୍ନ କ୍ରସର ୟୁନିଟ୍ ଓ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଛି । ଅନୁଗୁଳ ଜିଲ୍ଲା ତାଳଚେରରେ ବି.ବି. ଟ୍ରେଡର୍ସ ଉପରେ ଜିଏସ୍ଟି ଚଢ଼ଉ କରାଯାଇଛି ।

ନିର୍ବାଚନ ଆସିଲେ ଏପରି ଆକ୍ରୋଶମୂଳକ ଚଢ଼ାଉ ହୋଇଥାଏ ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଏପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆୟକର ବିଭାଗର ଚଢ଼ାଉ ନିରନ୍ତର ପ୍ରକ୍ରିୟା । ଯଦି କେହି ଭୁଲ କରିନାହାନ୍ତି, ତେବେ ଡରୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦ୍ରର ଆଇଟି ରେଡ୍ ଓ ରାଜ୍ୟର ଜିଏସଟି ଚଢ଼ାଉକୁ ନେଇ ସରଗରମ ହୋଇଥିଲା ରାଜନୀତି । ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ଚଢ଼ାଉକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ।