ରିକ୍ସା ଚାଳକଙ୍କ ନିକଟରେ ପହଂଚିଲା ଆୟକର ବିଭାଗର ୩.୪୩ କୋଟିର ନୋଟିସ, ବାର୍ଷିକ କାରବାର ୪୩.୪୦ କୋଟି

143

କନକ ବ୍ୟୁରୋ : ମଥୁରା ଆୟକର ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ୩.୪୩ କୋଟି ଟଙ୍କାର ଆୟକର ନୋଟିସ ପଠାଇବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ଏହି ନୋଟିସ ପାଇବା ପରେ ରିକ୍ସା ଚାଳକଙ୍କ ପରିବାର ଚିନ୍ତାରେ ପଡିଯଇଛନ୍ତି । ଏନେଇ ରିକ୍ସା ଚାଳକଙ୍କ ପରିବାର ଯେତେବେଳେ ଆୟକର ବିଭାଗ ଅଫିସରେ ପହଂଚିଥିଲେ ସେଠାରେ ତାଙ୍କୁ ଉତର ମିଳିଥିଲା ରିକ୍ସା ଚାଳକଙ୍କ ନାରେ ଆୟକର ଠକେଇ ନେଇ ଅଭିଯୋଗ ରହିଛି । ଏହାପରେ ରିକ୍ସା ଚାଳକ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ପାଇଁ ପ୍ରତିଶ୍ରୁତି ମିଳିଛି ।

ସୂଚନା ମୁତାବକ ମଥୁରା ଜିଲ୍ଲା ଅମର କଲୋନୀରେ ରହୁଥିବା ପ୍ରତାପ ଚନ୍ଦ୍ର ରିକ୍ସା ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ସେ ନିଜର ପ୍ୟାନକାର୍ଡ ପ୍ରସ୍ତୁତ କରିବାକୁ ପୂର୍ବ ୬ ମାସ ହେବ ଡାକ ବିଭାଗ ଓ ଜନସେବା କେନ୍ଦ୍ରକୁ ଦଉଡୁଛନ୍ତି । ସେ ପ୍ୟାନକାର୍ଡ ପାଇବାର ୩ ଦିନ ପରେ ତାଙ୍କ ପାଖରେ ଆୟକର ବିଭାଗର ଏକ ନୋଟିସ ପହଂଚିଥିଲା । ନୋଟିସରେ ଆୟକର ବିଭାଗ ତାଙ୍କୁ ୩.୪୩ କୋଟି ଟଙ୍କା ଜମା କରିବାକୁ କହିଛି । ନୋଟିସରେ କୁହାଯାଇଛି କି ଜିଏସଟି ମୁତାବକ ତାଙ୍କର ବାର୍ଷିକ କାରବାର ୪୩ କୋଟି ୪୦ ଲକ୍ଷ ଟଙ୍କା । ଏହି ଆଧାରରେ ତାଙ୍କୁ ୩.୪୩ କୋଟି ଟଙ୍କା ଆୟକର ଭରିବାକୁ ପଡିବ । ଏଭଳି ନୋଟିସ ପାଇବା ପରେ ଅଚେତ ହୋଇପଡିଥିଲେ ରିକ୍ସା ଚାଳକ ପ୍ରତାପ ଚନ୍ଦ୍ର ।

ରିକ୍ସା ଚାଳକ ଜଣଙ୍କ କହିଛନ୍ତି କି ଯେତେବେଳେ ସେ ଏହି ନୋଟିସକୁ ନେଇ ଆୟକର ବିଭାଗ ଦପ୍ତରକୁ ଯାଇଥିଲେ ସେଠାରେ ଅଧିକାରୀମାନେ କହିଥିଲେ କି ତାଙ୍କ ସହିତ ଧୋକ୍କା ହୋଇଛି । ହେଲେ ସେମାନେ ଏବାବଦରେ କିଛି କରିପାରିବେ ନାହିଁ ବୋଲି ସିଧା ସିଧା ଶୁଣାଇ ଦେଇଥିଲେ । ଏନେଇ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।