କନକ ବ୍ୟୁରୋ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଘନିଷ୍ଠ ନେତାଙ୍କୁ ଟାର୍ଗେଟ କରିଛି ଆୟକର ବିଭାଗ । ଏକାଧିକ ନେତାଙ୍କ ଘରେ ମାରାଥନ୍ ରେଡ୍ ଜାରି ରଖିଛି ଆୟକର ବିଭାଗ । ଶନିବାର ସକାଳୁ ଆରମ୍ଭ ହୋଇଥିବା ଏହି ଛାନବିନ୍ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

Advertisment

ସୂଚନା ମୁତାବକ, ରବିବାର ଆୟକର ବିଭାଗର ଏକ ଟିମ୍ ସମାଜବାଦୀ ପାର୍ଟି ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହଯୋଗୀ ତଥ ବ୍ୟବସାୟୀ  ରାହୁଲ ଭସିନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ କରିଛି । ଇତି ମଧ୍ୟରେ ବିଭାଗ ଅନେକ ବେନାମୀ ସମ୍ପତ୍ତି ସମେତ କିଛି କମ୍ପାନୀର କାଗଜପତ୍ର ମଧ୍ୟ ଜବତ କରିଛି । ଏହି ଦସ୍ତାବିଜ୍ ପାଇଁ ରାହୁଲ ଭସିନଙ୍କୁ ପଚରାଉଚୁରା ଜାରି ରଖିଛି ଆଇଟି ।

ଆୟକର ବିଭାଗ ଚଢାଉ କରି ଏସପି ସଭାପତି ଅଖିଳେଶ ଯାଦବଙ୍କ ଓଏସଡି ଜୈନେନ୍ଦ୍ର ଯାଦବ ଓରଫ ନୀତୁ, ରାହୁଲ ଭାସିନ, ମନୋଜ ଯାଦବ ଏବଂ ଜଗତ ଯାଦବଙ୍କ ଘରେ ୩୬ ଘଣ୍ଟା ଧରି ଚଢାଉ କରିଥିଲା। ଏହା ରବିବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଜାରି ରହିଥିଲା। ରବିବାର ଦିନ ରାହୁଲ ଭାସିନଙ୍କ ଦିଲ୍ଲୀ ବାସଭବନର ମଧ୍ୟ ଆୟକର ବିଭାଗର ଏକ ଦଳ ଛାନବିନ୍  କରିଥିଲା। ଆୟକର ବିଭାଗ ଏପର୍ୟ୍ୟନ୍ତ ରେଡ କରି ଜୈନେନ୍ଦ୍ର ଯାଦବଙ୍କ ଘରୁ ଖଣିଜ ଜଳ କମ୍ପାନୀର ଦସ୍ତାବିଜ ଉଦ୍ଧାର କରିଥିବା କୁହାଯାଉଛି ।

ଏହା ପୂର୍ବରୁ ମଧ୍ୟ ଅଖିଳେଶଙ୍କ ଘନିଷ୍ଠ ସହଯୋଗୀ ରାଜୀବ ରାୟଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ରେଡ ହୋଇଥିଲା । ପ୍ରାୟ ୧୬ ଘଣ୍ଟା ଛାନବିନ୍ କରିବା ପରେ ଆଇଟିକୁ ମାତ୍ର ୧୭ ହଜାର ଟଙ୍କା ମିଳିଥିଲା । ଏହାପରେ ଏହି ରେଡକୁ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି କହିଥିଲେ ରାଜୀବ ରାୟ । ଅଖିଳେଶ ମଧ୍ୟ ଏହାକୁ ନେଇ ବିରୋଧାଭାଷ ପ୍ରକାଶ କରିଥିଲେ । କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାକୁ ଆଧାର କରି ସତ୍ତାରୂଢ ସରକାର ତାଙ୍କୁ ଡରାଇବାକୁ ଚେଷ୍ଟା କରୁଛି । ଯେତେବେଳେ ସରକାରଙ୍କୁ ହାରିଯିବାର ଭୟ ଲାଗେ ସେତେବେଳେ ସେ ଏପରି ଷଡଯନ୍ତ୍ର କରନ୍ତି ବୋଲି କହିଥିଲେ ଅଖିଳେଶ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ତାଙ୍କ ଫୋନ୍ କଲ ଟ୍ରାପ୍ କରି ପ୍ରତିଦିନ ତାଙ୍କ କଥା ଶୁଣୁଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଅଖିଳେଶ ।